ଇଂଲଣ୍ଡ ମାଟିରେ ବିରାଟ ବ୍ରିଗେଡ୍ ଫେଲ୍ : ଟିମ୍ ଇଣ୍ଡିଆ ପରାଜୟର ପୋଷ୍ଟମର୍ଟମ୍

ଓଭାଲ୍ ଟେଷ୍ଟରେ ଲଢେଇ କରି ହାରିଲା ଟିମ୍ ଇଣ୍ଡିଆ । ୧୧୮ ରନରେ ମ୍ୟାଚ ଜିତିବା ସହ ସିରିଜକୁ ୪-୧ରେ କବଜାରେ କଲା ଇଂଲଣ୍ଡ । ୪୬୪ ରନରେ ବିଶାଳ ଲକ୍ଷ୍ୟ ଅସମ୍ଭବ ମନେ ହେଉଥିଲେ ବି ବିଜୟ ଆଶା ସଞ୍ଚାର କରିଥିଲେ ଲୋକେଶ ରାହୁଲ ଓ ଋଷଭ ପନ୍ଥ । ଦୁହେଁ ଶତକୀୟ ଇନିଂସ ଖେଳିଲେ । ୨ ଶହ ରନରୁ ଅଧିକ ଭାଗିଦାରୀ କରି ଓ୍ବିକେଟ୍ ଭପରେ ବେଶ କିଛି ଘଣ୍ଟା ଇଂଲଣ୍ଡ ବୋଲରଙ୍କୁ ନାକେଦମ୍ ବି କଲେ । ମ୍ୟାଚ୍ ବଞ୍ଚାଇବାକୁ ଖୁବ୍ ସଂଘର୍ଷ ବି କରିଥିଲେ । ବିରାଟ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ କିନ୍ତୁ ଯଥେଷ୍ଟ ହେଲାନି । ଟାର୍ଗେଟରେ ପହଞ୍ଚିବା ଆଗରୁ ଅଟକାଇବାରେ ସଫଳ ହୋଇଥିଲେ ଇଂଲିଶ ଧୁରନ୍ଧର । ନିଜ ମାଟିରେ ହିରୋ ଟିମ୍ ଇଣ୍ଡିଆର ବିଦେଶ ମାଟିରେ ଫ୍ଲପ୍ ସୋକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ । କ୍ରିକେଟ ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଏମିତି ବିପର୍ଯ୍ୟୟ କାହିଁକି ? କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ କ୍ରିକେଟ ହେଉଛି ଟିମ୍ ଗେମ୍ । କେବଳ ଜଣେ କି ଦୁଇଜଣ ଖେଳାଳି ଭଲ ପ୍ରଦର୍ଶନ କରିଲେ ଚଳିବ ନାହିଁ ।

HIT AND FLOP

. ଦଳଗତ ବିଫଳତା

ବିରାଟ କୋହଲି ଏହି ସିରିଜରେ ୫୯୩ ରନ୍ କରିବା ସହ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହେଇଛନ୍ତି । କିନ୍ତୁ ଦଳକୁ ସିରିଜ୍ ହାରିବାରୁ ରକ୍ଷା କରି ପାରିଲେ ନାହିଁ । ସେପଟେ ଇଂଲଣ୍ଡ କଥା ଯଦି ଦେଖିବା, କୌଣସି ଖେଳାଳି କୋହଲିଙ୍କ ଭଳି ବିରାଟ ସ୍କୋର କରି ପାରି ନାହାନ୍ତି । କିନ୍ତୁ ସିରିଜ କବଜା କରି ପାରିଲେ କେବଳ ଦଳଗତ ପ୍ରଦର୍ଶନ ପାଇଁ। କିନ୍ତୁ ଭାରତୀୟ ବ୍ଯାଟସମ୍ଯାନଙ୍କ ପ୍ରଦର୍ଶନ ସେମିତି ପ୍ରଭାବଶାଳୀ ନଥିଲା । ସେହିପରି ବୋଲରମାନେ ମଧ୍ୟ ଠିକଣା ସମୟରେ ଓ୍ବିକେଟ୍ ନେବାରେ ବିଫଳ ହୋଇଛନ୍ତି । ପୂରା ସିରିଜରେ ପ୍ରଥମରୁ ଇଂଲଣ୍ଡ ଦଳ ଟିମ୍ ଇଣ୍ଡିଆର ଓ୍ବିକେଟ୍ ଖସାଇବାରେ ସଫଳ ହୋଇଥିଲେ । ଯେଉଁଠି ଫ୍ଲପ୍ ମାରିଥିଲା ଭାରତୀୟ ବୋଲିଂ ।

. ସାମ୍ କୁରେନ୍, କ୍ରିସ୍ ଓକ୍ସ ଫ୍ଯାକ୍ଟର

ବିର୍ମିଂହମରେ ସାମ୍ କୁରେନ୍ ଟିମ୍ ଇଣ୍ଡିଆର ଟେନସନ୍ ହୋଇଥିଲେ । ୬୩ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଲର୍ଡସରେ କ୍ରିସ୍ ଓକ୍ସ ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଚିଲେ ଓ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ସହ ଭାରତର ବିଜୟରେ କଣ୍ଟା ହୋଇଥିଲେ । ଆଉ ସାଉଥମ୍ପଟନରେ ପୁଣି ଥରେ ଲର୍ଡସ୍ ସ୍କ୍ରିପ୍ଟକୁ ଦୋହରାଇଲେ କୁରେନ୍ । ପ୍ରଥମ ଇନିଂସରେ ୭୮ ଓ  ଦ୍ବିତୀୟ ଇନିଂସରେ ୪୭ ରନ୍ ବଳରେ ଭଲ ସ୍କୋର କରିଥିଲା ଇଂଲଣ୍ଡ । ୬୦ ରନରେ ଚତୁର୍ଥ ଟେଷ୍ଟରେ ବିଜୟୀ ହୋଇଥିଲା । ଆଶା କରାଯାଉଥିଲା ଓଭାଲ୍ ମ୍ୟାଚ୍ ଜିତି ଭାରତ ନିଜ ଇଜ୍ଜତ ରକ୍ଷା କରିବ । ତାହା ବି ହେଲାନି । ବାରମ୍ବାର ବିଫଳତାର ବୁଢିଆଣୀ ଜାଲ ଭିତରେ ଛନ୍ଦି ହୋଇଗଲା ବିରାଟ ବ୍ରିଗେଡ୍ । ଘରୋଇ ଦଳ ହାତକୁ ସିରିଜ୍ ଟେକି ଦେଲା ।

WINNER ENGLAND TEAM

. ଠିକଣା ସମୟରେ ବ୍ୟାଟିଂ ବୋଲିଂ ଫ୍ଲପ୍

ଓଭାଲରେ ପ୍ରଥମ ଇନିଂସରେ ଇଂଲଣ୍ଡ ୧୮୧ ରନରେ ୭ଟି ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଏଭଳି ସମୟରେ ଭାରତୀୟ ବୋଲର୍ ଏମିତି ଦିଶାହୀନ ବୋଲିଂ କଲେ ଯେ ଇଂଲଣ୍ଡର ଶେଷ ୩ ଜଣ ବ୍ୟାଟ୍ସମ୍ୟାନ୍ ୧୫୧ ରନ୍ ଯୋଡ଼ି ଦଳୀୟ ସ୍କୋରକୁ ପହଞ୍ଚାଇ ଦେଲେ ୩୩୨ରେ । ତେବେ ରବୀନ୍ଦ୍ର ଜାଡେଜା ଓ ହନୁମା ବିହାରୀଙ୍କ ଯୋଗୁଁ ଭାରତ ପ୍ରଥମ ପାଳିରେ ୨୯୨ ରନ୍ କରି ପାରିଥିଲା । ସେପଟେ ଦ୍ବିତୀୟ ଇନିଂସରେ ଆଲିଷ୍ଟର କୁକ୍ ଓ ଜୋ ରୁଟଙ୍କୁ ଅଟକାଇବାରେ ସଂପୂର୍ଣ୍ଣ ଫେଲ୍ ମାରିଥିଲେ ଭାରତୀୟ ବୋଲର । ଯାହା ଫଳରେ କୁକ୍ ଓ ରୁଟ୍ ଶତକ ହାସଲ କଲେ । ଏହାସହ ଭାରତ ଆଗରେ ୪୬୪ ରନର ପାହାଡ଼ ଠିଆ କରିଥିଲା ଇଂଲିଶ ଦଳ ।

. ଓଭାଲରେ ମୌନ ରହିଲା ଶିଖରପୂଜାରାବିରାଟ ବ୍ୟାଟ୍

ଓଭାଲରେ ୪୬୪ ରନ୍ ଟାର୍ଗେଟ୍ ଥିଲା । ଅନ୍ତତଃ ବିଜୟ ନହେଲେ ବି ମ୍ୟାଚ୍ ଡ୍ର ରଖିବା ଲକ୍ଷ୍ୟରେ ଖେଳିବାର ଥିଲା ଭାରତୀୟ ଦଳକୁ । କିନ୍ତୁ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ଟପ୍ ଅର୍ଡର୍ ପ୍ରଥମରୁ ଇଂଲଣ୍ଡ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ଦେଇଥିଲେ । ଦଳୀୟ ସ୍କୋର ୨ ରନ୍ ବେଳେ ପାଭିଲନ୍ ଫେରିଥିଲେ ଶିଖର ଧଓ୍ବନ (୧) ଓ ଚେତେଶ୍ବର ପୂଜାରା (୦) । ଏହାପରେ ଖାତା ଖୋଲିବା ଆଗରୁ ବିରାଟ କୋହଲି (୦)ଙ୍କୁ ଆଉଟ୍ କରିଥିଲେ ଷ୍ଟୁଆର୍ଟ ବ୍ରଡ୍ । ଏହି ତିନି ଜଣ ଖେଳାଳିଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଓଭାଲ୍ ପରାଜୟର ଆଉ ଏକ ପ୍ରମୁଖ କାରଣ । ଏଭଳି ସ୍ଥିତିରେ ଦଳ ପାଇଁ ସଂକଟ ମୋଚନ ସାଜିଥିଲେ ଲୋକେଶ ରାହୁଲ ଓ ଆଜିଙ୍କ୍ଯ ରାହାଣେ । ଲଢିଥିଲେ, ରନ୍ ପାଇଁ ବେଶ ସଂଘର୍ଷ ବି କରିଥିଲେ । ଶେଷ ଭାଗରେ  ଚମତ୍କାର ଶତକୀୟ ଇନିଂସ ଖେଳି ସମସ୍ତଙ୍କୁ ଚମକେଇ ଦେଇଥିଲେ ଋଷଭ ପନ୍ଥ । କିନ୍ତୁ ତାହା ମ୍ୟାଚ୍ ବଞ୍ଚାଇବାରେ ସମର୍ଥ ହେଲା ନାହିଁ । ପୁଣିଥରେ ପରାଜୟର ମୁହଁ ଦେଖିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ମାଟିରେ ଭାରତର ବଡ଼ ପରାଜୟ ଧାରା ଜାରି ରହିଲା ।

KOHLI AND ROOT

ଦଳରେ ଯୁବ ଓ ଦକ୍ଷ ଖେଳାଳି ଥିଲେ । ହେଲେ ସେମାନେ ଠିକଣା ସମୟରେ ଠିକଣା ଭାବେ ମୁକାବିଲା କରି ପାରିଲେ ନାହିଁ । ଯାହା ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଥିଲେ, ଆମ ଖେଳାଳି ବିଶେଷ କରି ବ୍ୟାଟ୍ସମ୍ୟାନମାନେ ମାନସିକ ଭାବେ ଇଂଲଣ୍ଡ ବୋଲରଙ୍କ ମୁକାବିଲା କରି ପାରିଲେ ନାହିଁ । ନିଜକୁ ପରିବେଶ ଓ ପରିସ୍ଥିତି ସହ ଖାପଖୁଆଇ ନେଇଥିଲେ ସିରିଜର ଫଳାଫଳ ଅଲଗା ହୋଇଥାନ୍ତା । ୩ୟ ଟେଷ୍ଟ ଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇବାର ଥିଲା । ଅଧିନାୟକ ବିରାଟ କୋହଲି କହିଛନ୍ତି, ଆମେ ବିପକ୍ଷ ଉପରେ ଚାପ ପକାଇ ଖେଳିବା ବେଳେ ତାକୁ ଆଗକୁ ବଜାୟ ରଖିବା ଦରକାର । ଗୁରୁତ୍ବପୂର୍ଣ୍ଣ ସମୟରେ ଆମେ ଏଭଳି ଖେଳି ନପାରିବା ଯାଏ ବିଦେଶ ମାଟିରେ ଜିତିବା ଅସମ୍ଭବ ।

ଏବେ ହେବ ?

ଏବେ ବିରାଟ ସେନାର ଅସଲ ପରୀକ୍ଷା ହେବ କଙ୍ଗାରୁ ମାଟିରେ । କାରଣ ଏସିଆ କପ୍ ପରେ ଆଗକୁ ଅଷ୍ଟ୍ରେଲିଆ ସିରିଜ୍ । ବ୍ୟାଟ୍ସମ୍ୟାନ୍ ଭାବରେ ବିରାଟ କୋହଲି ଆଶାଠାରୁ ଢେର ଅଧିକ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଜଣେ ଅଧିନାୟକ ଭାବେ ଆହୁରି ପରିପକ୍ବ ହେବା ଦରକାର । ତା ସହିତ ତାଙ୍କ ସିପାହୀମାନେ ମଧ୍ୟ ନିଜ ଦାୟିତ୍ବ ଠିକଣା ଭାବେ ସମ୍ଭାଳିବା ନିହାତି ଜରୁରୀ । ନଚେତ ଇଂଲଣ୍ଡ ଭଳି ସିରିଜ୍ ସବୁ ହାତଛଡ଼ା ହେବ । ଏଇ ଭୁଲରୁ ଶିକ୍ଷା କରି ଆଗକୁ ଅଷ୍ଟ୍ରେଲିଆରେ କୋହଲି ବାହିନୀଠାରୁ ବିରାଟ ବିଜୟ ଆଶା କରାଯାଉଛି । ଅବଶ୍ୟ ଇଂଲଣ୍ଡ ଠାରୁ ସିରିଜ୍ ହାରିବା ସତ୍ତ୍ବେ ଆଇସିସି ଟେଷ୍ଟ ମାନ୍ୟତାରେ ଏବେବି ଏକ ନମ୍ବର ସ୍ଥାନ ବଜାୟ ରଖିଛି ଟିମ୍ ଇଣ୍ଡିଆ । ତେବେ ଏହି ସିରିଜରୁ କିଛି ସକାରାତ୍ମକ ସଫଳତା ମିଳିଛି । ଯାହାକୁ ଆଗାମୀ ସମୟରେ ଦଳ କାମରେ ଲଗାଇବା ଉଚିତ ।

କିଛି ରେକର୍ଡ଼

ଗତ  ବର୍ଷ ଭିତରେ ଇଂଲଣ୍ଡ ମାଟିରେ ଏହା ହେଉଛି ଭାରତର ୧୧ତମ ଟେଷ୍ଟ ପରାଜୟ

ଭାରତ ବିପକ୍ଷରେ ଇଂଲଣ୍ଡ ୨୦୧୧ରେ ୨୦୧୪ରେ ୧ରେ ସିରିଜ ବିଜୟୀହୋଇଥିଲା

ସର୍ବାଧିକ ଓ୍ବିକେଟ୍ (୫୬୪) ନେବାରେ ଦ୍ରୁତତମ ବୋଲର୍ ଜେମ୍ସ ଆଣ୍ଡରସନ୍ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକଗ୍ରା (୫୬୩)ଙ୍କୁ ପଛରେ ଛାଡିଛନ୍ତି

ଋଷଭ ପନ୍ଥଙ୍କର ପ୍ରଥମ ଟେଷ୍ଟ ଶତକ (୧୧୪ରନ୍)

-କପିଲ୍, ଇରଫାନ୍ ହରଭଜନଙ୍କ କ୍ଲବରେ ଋଷଭ ପନ୍ଥ ସାମିଲ ସେମାନଙ୍କ ଭଳି ଛକା ମାରି ପ୍ରଥମ ଟେଷ୍ଟ ଶତକ ପୂରଣ କରିଥିଲେ ସେହିପରି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ଛକା ମାରି ଖାତା ଖୋଲିଥିଲେ ଋଷଭ

-SENA (ସାଉଥ୍ ଆଫ୍ରିକାଇଂଲଣ୍ଡନ୍ୟୁଜିଲାଣ୍ଡଅଷ୍ଟ୍ରେଲିଆଦେଶରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଓ୍ବିକେଟ୍ କିପର୍ ଋଷଭ ପନ୍ଥ ପୂର୍ବରୁ ଧୋନି ଇଂଲଣ୍ଡ ବିପକ୍ଷରେ ଓଭାଲରେ ସର୍ବାଧିକ ୯୦ ରନ୍ କରିଥିଲେ

ଦୁଇ ବର୍ଷ ପରେ ଲୋକେଶ ରାହୁଲଙ୍କ ଟେଷ୍ଟ ଶତକ ୨୦୧୬ରେ ଶେଷ ଥର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୧୯୯ ରନ୍ କରିଥିଲେ

ସାମ୍ କୁରେନ (୨୭୨ ରନ୍ ୧୧ ଓ୍ବିକେଟ୍) ଗୋଟିଏ ସିରିଜରେ ୨୫୦ରୁ ଅଧିକ ରନ୍ ୧୦ରୁ ଅଧିକ ଓ୍ବିକେଟ୍ ନେବାରେ ସବୁଠୁ କମ୍ ବୟସ୍କ ଦ୍ବିତୀୟ କ୍ରିକେଟର ସିରିଜ୍ ଆରମ୍ଭରେ ତାଙ୍କ ବୟସ ଥିଲା ୨୦ବର୍ଷ ୫୯ ଦିନ ଏହି ରେକର୍ଡ ରହିଛି କପିଲ୍ ଦେବଙ୍କ ନାଁରେ ୧୯୭୭୭୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କପିଲ୍ ୩୨୯ ରନ୍ ୧୭ ଓ୍ବିକେଟ୍ ନେଇଥିଲେ ସେତେବେଳେ ସିରିଜ୍ ଆରମ୍ଭରେ ତାଙ୍କ ବୟସ ଥିଲା ୧୯ବର୍ଷ ୩୨୯ ଦିନ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.