ମାଇଲ୍ଷ୍ଟୋନ୍ ହାସଲ୍ କଲେ ବିରାଟ୍ କୋହଲି, ଭାଙ୍ଗିଲେ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲିଙ୍କ ରେକର୍ଡ । ବୁଧବାର ୱାଇଏସ୍ଆର୍ ଷ୍ଟାଡିୟମ୍ରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ବିରାଟ୍ ରେକର୍ଡ ସୃଷ୍ଟି କରିଛନ୍ତି। ବିରାଟ୍ ଏହି ମ୍ୟାଚ୍ରେ ୧୫୭ ରନ୍ର ଅପରାଜିତ ଇନିଂସ୍ ଖେଳିଛନ୍ତି। ଏଥିରେ ୧୩ଟି ଚୌକା ଓ ୪ଟି ଆକର୍ଷଣୀୟ ଛକା ରହିଛି। ଏହା ବିରାଟ୍ଙ୍କ ୩୭ ତମ ଦିନିକିଆ ଶତକ ଥିଲା।
ଏହି ମ୍ଯାଚରେ ସେ ସଚିନ୍ ତେନ୍ଦୁଲକରଙ୍କ ତୁଳନାରେ ୧୧୬ଟି ଇନିଂସ୍ ପୂର୍ବରୁ ଦିନିକିଆରେ ୩୭ଟି ଶତକ ହାସଲ କରି ରେକର୍ଡ କରିଛନ୍ତି। ବିରାଟ୍ ୨୦୫ଟି ଇନିଂସ୍ରେ ୩୭ ତମ ଶତକ ହାସଲ କରିଥିବା ବେଳେ ତେନ୍ଦୁଲକର ୩୨୧ଟି ଇନିଂସ୍ରେ କରିଥିଲେ। ସେହିପରି ବିରାଟ୍ ବିଶ୍ୱର ପ୍ରଥମ କ୍ରିକେଟର୍ ଭାବେ ସବୁଠାରୁ କମ୍ ୨୦୫ଟି ଇନିଂସ୍ରେ ୧୦ ହଜାର ରନ୍ ସଂଗ୍ରହ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାଁରେ ଥିଲା। ସଚିନ୍ ୨୫୯ଟି ଇନିଂସ୍ରେ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍ କରିଥିଲେ।
ଏହି ରେକର୍ଡ ହାସଲ୍ କରିବାରେ ବିରାଟ୍ ବିଶ୍ୱର ଦ୍ୱିତୀୟ ସର୍ବ କନିଷ୍ଠ କ୍ରିକେଟର୍ ଭାବେ ନିଜର ଆଉ ଏକ ପରିଚୟ କରିଛନ୍ତି। ବିରାଟ୍ ୨୯ ବର୍ଷ ୩୫୩ ଦିନ ବୟସରେ ୧୦ ହଜାର ରନ୍ କରିଥିବା ବେଳେ ତେନ୍ଦୁଲକର ୨୭ ବର୍ଷ ୩୪୧ ଦିନରେ ଏହାକୁ ହାସଲ କରିଥିଲେ। ସଚିନ୍ ୨୦୦୧ ମସିହା ମାର୍ଚ୍ଚ ୩୧ରେ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍ ହାସଲ କରିଥିଲେ। ଏହାସହ ଦିନିକିଆରେ ୪ର୍ଥ ଥର ପାଇଁ ୧୫୦ରୁ ଅଧିକ ରନ୍ କରିପାରିଥିବା ବିଶ୍ୱର ୪ର୍ଥ ଖେଳାଳି ହୋଇଛନ୍ତି।