ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିପାରନ୍ତି ୨୦୨୭ ବିଶ୍ୱକପ, ଗମ୍ଭୀର ଦେଲେ ସଂକେତ

ଭାରତୀୟ ଟିମର ମୁଖ୍ୟ କୋଚ ହେବା ପରେ ଗୌତମ ଗମ୍ଭୀର ପ୍ରଥମ ଥର ପ୍ରେସ କନଫରନ୍ସେ କରିଛନ୍ତି । ମୁମ୍ବାଇରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀରଙ୍କ ସହିତ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ରହିଥିଲେ । ଗମ୍ଭୀର କହିଛନ୍ତି କି, ବିରାଟ କୋହଲି ଏବଂ ରୋହିତ ଶର୍ମା ଯଦି ଇଚ୍ଛା କରନ୍ତି, ତେବେ ଦୁହେଁ ୨୦୨୭ ବିଶ୍ୱକପ ଖେଳିପାରିବେ ।
ସେ ଆହୁରି କହିଛନ୍ତି, ରୋହିତ ଶର୍ମା ଏବଂ ବିରାଟ କୋହଲି ଦୁହେଁ ଆହୁରି ଅନେକ କ୍ରିକେଟ ଖେଳିବାକୁ ବାକି ରହିଛି । ସେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଖେଳାଳି । ବିରାଟ କୋହଲି ଏବଂ ରୋହିତ ଶର୍ମା ଟି୨୦ ବିଶ୍ୱକପ ହେଉ ଅବା ଦିନିକିଆ ବିଶ୍ୱକପ ସବୁଥିରେ ଭଲ ଖେଳନ୍ତି । ମୁଁ ଭାବୁଛି କି, ଦୁହେଁ ଆହରି ଅନେକ କ୍ରିକେଟ ଖେଳିପାରିବେ । ଟାମ୍ପିଅନ୍ସ ଟ୍ରଫି ୨୦୨୫ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦୁହେଁ ଅପେକ୍ଷା କରି ରହିଛନ୍ତି । ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ନିଜର ଫିଟନେସ ରଖିପାରିବେ । ଆଉ ଯଦି ସେମାନେ ଇଚ୍ଛା କରିବେ ୨୦୨୭ ବିଶ୍ୱକପ ଖେଳିପାରିବେ ।
ଏହା ବହୁତ ବ୍ୟକ୍ତିଗତ ନିର୍ଣ୍ଣୟ ହେବ । ମୁଁ କହିପାରିବି ନାହିଁ କି, ସେମାନେ କେତେ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି । ଏହା ତାଙ୍କ ଉପରେ ନିର୍ଭର କରେ । ଟିମରେ ସଫଳତାରେ କେତେ ଯୋଗଦାନ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ । କିନ୍ତୁ ଯାହା ବିରାଟ ଏବଂ ରୋହିତ କରିପାରିବେ, ତାହା କ୍ରିକେଟରେ ଆଉ କେହି କରିପାରିବେ ନାହିଁ ।
ସେହିପରି ହାର୍ଦ୍ଦିକଙ୍କୁ ନେଇ ଉତ୍ତର ଦେଇଥିଲେ ଗମ୍ଭୀର , ସେ କହିଥିଲେ ସୂର୍ଯ୍ୟକୁମାର ଯାଦବ ଜଣେ ଭଲ ଖେଳାଳି । ଟି୨୦ ଫର୍ମାଟରେ ସେ ଜଣେ ଶ୍ରେଷ୍ଠ ବ୍ୟାଟର । ସବୁ ମ୍ୟାଚ ଖେଳିପାରୁଥିବା ଭଳି ଅଧିନାୟକ ଦରକାର । ଏଥିପାଇଁ ସୂର୍ଯ୍ୟକୁମାର ହିଁ ଫିଟ ଓ ସେ ଜଣେ ଅସାଧାରଣ ଖେଳାଳି ଅଟନ୍ତି । ତାଙ୍କର କୌଶଳ, ରଣନୀତି ଓ ଫିଟନେସ ଅଦ୍ଭୂତ ଅଟେ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି ।
ଅଜିତ ଅଗରକର କହିଥିଲେ, ହାର୍ଦ୍ଦିକଙ୍କ ପାଇଁ ତାଙ୍କ ଫିଟନେସ ବଡ ସମସ୍ୟା । ଯାହା କିଛିଦିନରୁ ଦେଖିବାକୁ ମିଳିଛି । ହାର୍ଦ୍ଦିକଙ୍କ ଫିଟନେସ ବହୁତ ଖରାପ ରହିଛି । ଅଧିକାଂଶ ଆବଶ୍ୟକତା ଥିବା ସମୟରେ ଫିଟନେସ ଯୋଗୁଁ ସେ ଖେଳିପାରିନାହାନ୍ତି । ଏହାଛଡା ଅଧିନାୟକ ଘୋଷଣା କରିବା ପୂର୍ବରୁ ଡ୍ରେସିଂ ରୁମରେ ଖେଳାଳିଙ୍କ ଫିଡବ୍ୟାକ୍ ମଧ୍ୟ ନିଆଯାଏ ।