ଆଇସିସି ତିନି ଫର୍ମାଟରେ ରେକର୍ଡ କଲେ କିଙ୍ଗ କୋହଲି, ଆଇସିସି କଲା ଘୋଷଣା

ପୁଣି କମାଲ କଲେ ବିରାଟ କୋହଲି । ବିଶ୍ୱର ଏକ ମାତ୍ର କ୍ରିକେଟର ଭାବରେ ଆଇସିସିର ତିନିଟି ଫର୍ମାଟରେ ରେକର୍ଡ କରିଛନ୍ତି କିଙ୍ଗ କୋହଲି। ଆଇସିସି ଟେଷ୍ଟ, ଦିନିକିଆ ପରେ ଟି-୨୦ ଟିମ୍ ଅଫ୍ ଦି ଇଅରରେ ସ୍ଥାନ ପାଇଛନ୍ତି ବିରାଟ କୋହଲି । ଆଇସିସି ପକ୍ଷରୁ ପୁରୁଷ ଏବଂ ମହିଳା ଟି-୨୦ ଟିମ୍‌ ଅଫ୍‌ ଦ ଇଅର ଘୋଷଣା କରିଥିଲା ।

ବିରାଟ କୋହଲି ୨୦୧୭, ୨୦୧୮ ଓ ୨୦୧୯ରେ ୩ ଥର ଆଇସିସି ଟେଷ୍ଟ ଟିମ୍ ଅଫ୍ ଦି ଇଅରରେ ସାମିଲ ହୋଇଥିଲେ । ସେହିପରି ୨୦୧୨, ୨୦୧୪, ୨୦୧୬, ୨୦୧୭, ୨୦୧୮ ଓ ୨୦୧୯ରେ ୬ ଥର ଆଇସିସି ଦିନିକିଆ ଟିମ୍ ଅଫ୍ ଦି ଇଅର ତାଲିକାରେ ସାମିଲ ହୋଇଥିଲେ କିଙ୍ଗ କୋହଲି । ଏବେ ୨୦୨୨ରେ ଟି-୨୦ ଟିମ୍ ଅଫ ଦି ଇଅରରେ ଅଛନ୍ତି । ତେବେ ବିରାଟଙ୍କ ସହିତ ରହିଛନ୍ତି ଆଉ ୨ ଜଣ ଭାରତୀୟ କ୍ରିକେଟର । ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହି ତାଲିକାରେ ସାମିଲ ରହିଛନ୍ତି ।

ବିରାଟ କୋହଲିଙ୍କ ରେକର୍ଡ :

ଆଇସିସି ଦିନିକିଆ ଟିମ୍‌ ଅଫ୍‌ ଦ ଇଅର : ୨୦୧୨, ୨୦୧୪, ୨୦୧୬(ଅଧିନାୟକ), ୨୦୧୭ (ଅଧିନାୟକ), ୨୦୧୮ (ଅଧିନାୟକ), ୨୦୧୯ (ଅଧିନାୟକ) ।
ଆଇସିସି ଟେଷ୍ଟ ଟିମ୍‌ ଅଫ୍‌ ଦ ଇଅର : ୨୦୧୭ (ଅଧିନାୟକ), ୨୦୧୮ (ଅଧିନାୟକ), ୨୦୧୯ (ଅଧିନାୟକ)
ଆଇସିସି ଟି-୨୦ ଟିମ୍‌ ଅଫ୍‌ ଦ ଇଅର : ୨୦୨୨

ଏସିଆ କପରେ ବିରାଟଙ୍କ କମାଲ :

କ୍ରିକେଟ ଦୁନିଆରେ ଜଣେ ସର୍ବଶ୍ରେଷ୍ଠ ଖେଳାଳି ବିରାଟ କୋହଲି । ନିଜ ଦମରେ ଅନେକ ମ୍ୟାଚରେ ଭାରତକୁ ବିଜୟୀ କରାଇଛନ୍ତି । ଏସିଆ କପରେ ବିରାଟ କୋହଲିଙ୍କ ଜବରଦସ୍ତ ଫର୍ମ ଦେଖିବାକୁ ମିଳିଥିଲା। ୫ଟି ମ୍ୟାଚରେ ୨୭୬ ରନ୍ କରିଥିଲେ । ଏସିଆ କପରେ ଦ୍ୱିତୀୟ ସର୍ବାଧିକ ରନ୍ କରିଥିବା ଖେଳାଳିଥିଲେ ବିରାଟ କୋହଲି। ଏହାସହ ୨୦୨୨ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ବିରାଟଙ୍କ ଇନିଂସ ଫ୍ୟାନ୍ସଙ୍କ ମନରୁ କେବେ ବି ହଟିବ ନାହିଁ । ୫୩ ବଲରେ ୮୨ ରନ କରି ବିଜୟର ନିର୍ଣ୍ଣାୟକ ଭୂମିକା ନେଇଥିଲେ। ବିଶ୍ୱକପରେ ସର୍ବାଧିକ ୨୯୬ ରନ୍ କରିଥିଲେ ।

ସୂର୍ଯ୍ୟକୁମାର ଏବଂ ହାର୍ଦ୍ଦିକ ମଧ୍ୟ ଟି-୨୦ ଟିମରେ ସାମିଲ :

ଟି-୨୦ ଟିମରେ ବିରାଟ କୋହଲିଙ୍କ ବ୍ୟତୀତ ଲିଷ୍ଟରେ ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସାମିଲ ହୋଇଛନ୍ତି । ସୂର୍ଯ୍ୟକୁମାର ଗତବର୍ଷ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳି ଥିଲେ । ଅଲରାଉଣ୍ଡର ପ୍ରଦର୍ଶନ ଯୋଗୁ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସେହିପରି ହାର୍ଦ୍ଦିକ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଟିମ୍‌ ଇଣ୍ଡିଆର ଅଧିନାୟକତ୍ୱ କରି ଟି-୨୦ ସିରିଜ ଜିତିଥିଲେ ।

ଆଇସିସି ଟି-୨୦ ଟିମ୍‌ ଅଫ ଦ ଇଅର ୨୦୨୨ : ଜୋସ୍‌ ବଟଲର, ମହମ୍ମଦ ରିଜଓ୍ଵାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଗ୍ଲେନ୍‌ ଫିଲିପ୍ସ, ସିକନ୍ଦର ରଜା, ହାର୍ଦ୍ଦିକ ପାଣ୍ଡ୍ୟା, ସାମ୍‌ କୁରେନ, ବନିନ୍ଦୁ ହସରଙ୍ଗା, ହାରିସ ରଉଫ, ଜୋଶୁଆ ଲିଟିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.