ହଠାତ୍ ସୁରକ୍ଷା ବଳୟ ଭାଙ୍ଗି ବିରାଟଙ୍କ ପାଖକୁ ଧାଇଁ ଆସିଲେ ପ୍ରଶଂସକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଦିଲ୍ଲୀ : ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ ଇଡେନ ଗାର୍ଡେନରେ ହେଉଥିବା ବେଳେ ଦର୍ଶକଙ୍କ ଭିଡ଼ ଲାଗିଥିଲା । ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିଥିଲା । ଏହି ମ୍ୟାଚ୍ରେ ଆରସିବି ୭ ୱିକେଟ୍ରେ KKRକୁ ପରାସ୍ତ କରି ବିଜୟ ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା । ଆରସିବି ପାଇଁ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୩୬ ବଲ୍ ରେ ୫୯ ରନ୍ କରିଥିଲେ ।
ଏହି ସମୟରେ ପ୍ରଶଂସକମାନେ କୋହଲିଙ୍କ ଏକ ଝଲକ ଦେଖିବାକୁ ଉତ୍ସାହିତ ଥିଲେ । ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ଭିତରକୁ ପ୍ରବେଶ କରି ସିଧା ସଳଖ ଦୌଡ଼ି ଦୌଡ଼ି କୋହଲିଙ୍କ ପାଦ ତଳେ ପଡ଼ିଗଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ସମୟରେ ବିରାଟ କୋହଲି ବ୍ୟାଟିଂ କରୁଥିଲେ ସେହି ସମୟରେ ଜଣେ ପ୍ରଶଂସକ ଅତ୍ୟଧିକ ଉତ୍ସାହିତ ହୋଇଯାଇଥିଲେ । ଯାହା ଫଳରେ ସେ ସୁରକ୍ଷା ବଳୟ ଭାଙ୍ଗି ବିରାଟଙ୍କ ପାଖକୁ ଦୌଡ଼ି ଆସିଲେ ଏବଂ ତାଙ୍କ ପାଦ ତଳେ ପଡ଼ି ଯାଇଥିଲେ । ଏହା ପରେ ସେ କୋହଲିଙ୍କୁ କୁଣ୍ଢେଇ ପକାଇଲେ । ପରେ ସୁରକ୍ଷା କର୍ମୀମାନେ ସେହି ବ୍ୟକ୍ତିଙ୍କୁ ବାହାରକୁ ନେଇଗଲେ ।
କୃଣାଲ ପାଣ୍ଡ୍ୟା ଏବଂ ଜୋଶ ହାଜେଲଉଡଙ୍କ ନେତୃତ୍ୱରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିବା ପରେ ବିରାଟ କୋହଲି(୫୯) ଏବଂ ଫିଲ ସଲ୍ଟ (୫୬)ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ଆରସିବି IPLର ୧୮ ତମ ସିଜିନର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ KKR କୁ ୨୨ ବଲ୍ ବାକି ଥାଇ ୭ ୱିକେଟରେ ପରାସ୍ତ କରିଛି । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ୩୧ ବଲ୍ ରୁ ୫୬ ରନ୍ ସତ୍ତ୍ୱେ, KKR ୮ ୱିକେଟ୍ ବିନିମୟରେ କେବଳ ୧୭୪ ରନ୍ କରିପାରିଥିଲା । ଆରସିବି ୧୬.୨ ଓଭରରେ ୩ ୱିକେଟ ହରାଇ ସହଜରେ ଲକ୍ଷ୍ୟ ହାସଲ କରିନେଇଥିଲା ।
କୋହଲି ତାଙ୍କର ଅପରାଜିତ ୩୬ ବଲ୍ ଇନିଂସରେ ଚାରୋଟି ଚୌକା ଏବଂ ତିନୋଟି ଛକା ମାରି ଗୋଟିଏ ଏଣ୍ଡ ଅପ୍ ଧରି ରଖିଥିଲେ । ଅନ୍ୟ ପାର୍ଶ୍ୱରୁ ତାଙ୍କୁ ସଲ୍ଟ ଏବଂ ଅଧିନାୟକ ରଜତ ପତିଦାରଙ୍କଠାରୁ ଭଲ ସମର୍ଥନ ମିଳିଥିଲା । ସଲ୍ଟ ତାଙ୍କ ୩୧ ବଲ୍ ଇନିଂସରେ ୯ ଚୌକା ଏବଂ ଦୁଇଟି ୬ ମାରିଥିଲେ ଏବଂ ୮.୩ ଓଭରରେ କୋହଲିଙ୍କ ସହ ୯୫ ରନର ଓପନିଂ ପାର୍ଟନରସିପ୍ କରି ACBକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ । ପାଟିଦାର ୧୬ ବଲ୍ରେ ୫ଟି ଚୌକା ଓ ଗୋଟିଏ ୬ ସହାୟତାରେ ୩୪ ରନ୍ ସଂଗ୍ରହ କରିଥିବା ବେଳେ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୫ଟି ବଲ୍ରେ ଦୁଇଟି ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୧୫ ରନ୍ କରିଥିଲେ ।
କେକେଆରଙ୍କ ଅଧିନାୟକତ୍ୱରେ ରାହାଣେ ଏକ ଚମତ୍କାର ଆରମ୍ଭ କରିଥିଲେ । ୨୫ ବଲ୍ ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଭାରତ ପାଇଁ ଶେଷ ଥର ପାଇଁ ୨୦୧୬ରେ ଟି-୨୦ ମ୍ୟାଚ୍ ଖେଳିଥିବା ୩୬ ବର୍ଷୀୟ ଅଭିଜ୍ଞ ରାହାଣେଙ୍କୁ ଶ୍ରେୟସ ଆୟରଙ୍କ ସ୍ଥାନରେ କେକେଆରର ଅଧିନାୟକ କରାଯାଇଛି । ସେ ୩୧ ବଲ୍ ରେ ୬ ଚୌକା ଏବଂ ୪ ଛକା ସହାୟତାରେ ୫୬ ରନ୍ର ଏକ ନିର୍ଭିକ ଇନିଂସ ଖେଳିଥିଲେ।
ସୁନୀଲ ନାରିନ ତାଙ୍କୁ ୨୬ ବଲ୍ରେ ୪୪ ରନ୍ର ଏକ ଇନିଂସ ଖେଳି ଏକ ଚମତ୍କାର ସମର୍ଥନ ଦେଇଥିଲେ । ଦୁହେଁ ଦ୍ୱିତୀୟ ୱିକେଟ ପାଇଁ ପ୍ରତି ଓଭରରେ ୧୦ ରୁ ଅଧିକ ହାରରେ ୫୫ ବଲ୍ରେ ୧୦୩ ରନ୍ ଯୋଡ଼ି ଏକ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ ।
Also read: ବିରାଟ କୋହଲିଙ୍କୁ ଅଣଦେଖା କଲେ ରିଙ୍କୁ ସିଂ, ଭିଡିଓ ଭାଇରଲ