ବିରାଟ କୋହଲିଙ୍କୁ ଦେଖିବା ପାଇଁ ପାଗଳ ହେଲେ ଦିଲ୍ଲୀ ଫ୍ୟାନ୍ସ, ଷ୍ଟାଡିୟମରେ ପଶିବା ବେଳେ ମାରପିଟ, ୩ ଆହତ

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ଟ୍ରଫି ଖେଳିବେ । କୋହଲି ଦିଲ୍ଲୀ ଟିମ ପାଇଁ ଖେଳୁଛନ୍ତି । ଆଜି ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଏତେ ଦିନ ପରେ ବିରାଟ ଫେରିଥିବାରୁ ତାଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ ଜମିଛି । ଏହି ମ୍ୟାଚରେ ଦିଲ୍ଲୀ ଟିମ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ବିରାଟଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିବା ଯୋଗୁଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ଲୋକ ଭିଡ଼ ହେତୁ ପ୍ରଶଂସକମାନେ ଆହତ ହେବା ସହିତ ସ୍ଥାନ ବାହାରେ ପରିସ୍ଥିତି ବିଶୃଙ୍ଖଳିତ ହୋଇଯାଇଛି । ଗେଟ୍ ୧୬ ବାହାରେ ଫ୍ୟାନ୍ସ ପରସ୍ପରକୁ ଧକ୍କା ଦେଇ ଗେଟ୍ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି । ଫଳରେ କିଛି ଫ୍ୟାନ୍ସ ଆହତ ହୋଇଥିବା ଜଣାପଡିଛି । ଫାଟକ ପାଖରେ କିଛି ପ୍ରଶଂସକ ଆହତ ହୋଇ ତଳ ପଡ଼ି ଯାଇଛନ୍ତି । ଘଟଣାରେ ଅତିକମରେ ୩ ଜଣ ଫ୍ୟାନ୍ସ ଆହତ ହୋଇଛନ୍ତି ।

ଏକ ପୋଲିସ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ସେମାନଙ୍କ ଜୋତା ପଛରେ ଛାଡ଼ି ଆଗକୁ ମାଡ଼ି ଯାଇଥିଲେ । ଆହତ ପ୍ରଶଂସକମାନଙ୍କୁ ଡିଡିସିଏ ସୁରକ୍ଷା ଏବଂ ପୋଲିସ ଫାଟକ ନିକଟରେ ଚିକିତ୍ସା କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ସମୟରେ ଜଣେ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏହି ମ୍ୟାଚକୁ ଜିଓ ସିନେମା ଲାଇଭ ଟେଲିକାଷ୍ଟ କରୁଛି । ତଥାପି ମ୍ୟାଚ ଦେଖିବାକୁ ୧୦ ହଜାର ଲୋକ ଆସିପାରନ୍ତି ବୋଲି ଡିଡିସିଏ ସଚିବ ଅଶୋକ କୁମାର ଶର୍ମା କହିଛନ୍ତି ।

ସୂଚନାଯୋଗ୍ୟ, ବିରାଟ କୋହଲି ଶେଷ ଥର ୨୦୧୨ରେ ରଣଜୀ ମ୍ୟାଚ ଖେଳିଥିଲେ । ସେ ଉତ୍ତରପ୍ରଦେଶ ବିପକ୍ଷରେ ଗାଜିଆବାଦରେ ଶେଷ ମ୍ୟାଚ ଖେଳିଥିଲେ । ଏବେ ୧୩ ବର୍ଷ ପରେ ରଣଜୀ ମ୍ୟାଚ୍ ଖେଳୁଥିବା ଦେଖିବାକୁ ଫ୍ୟାନ୍ସଙ୍କ ଭିଡ଼ ଜମିଛି । ରଣଜୀ ଖେଳିବା ଯୋଗୁଁ କୋହଲି ଥିବା ଖରାପ ଫର୍ମରୁ ବାହାରିବା ପାଇଁ ଚେଷ୍ଟା କରିବେ । ୨୦୨୪ରେ ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ଦେଇ ଗତି କରିବା ପରେ ଏବେ ରଣଜୀ ଖେଳିବାକୁ କଠିନ ପରିଶ୍ରମ କରୁଛନ୍ତି କୋହଲି ।

Also Read : ICC Ranking ଟି୨୦ ବୋଲିଂ ରାଙ୍କିଂ: ଏକା ସାଥିରେ ୨୫ ଖେଳାଳିଙ୍କୁ ପଛରେ ପକାଇ ଟପ୍ ୫ରେ ସାମିଲ ହେଲେ ବରୁଣ…