ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସ୍ତବ୍ଧ କ୍ରିକେଟ ଜଗତ, କୋହଲି, ଗିଲଙ୍କ ସମେତ ଅନ୍ୟ କ୍ରିକେଟର ଦାବି କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଜମ୍ମୁ କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶର ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଗତକାଲି ହୋଇଥିବା ଆକ୍ରମଣକୁ ନେଇ ଭାରତୀୟ କ୍ରିକେଟ ଜଗତ ମଧ୍ୟ ଘଟଣାକୁ ନିନ୍ଦା କରିଛି । ଖେଳାଳି ପୀଡିତ ପରିବାର ପ୍ରତି ସମବେଦନା ବ୍ୟକ୍ତି କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଗୌତମ ଗମ୍ଭୀର, ବିରାଟ କୋହଲି, ଶୁବମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯୁବରାଜ ସିଂଙ୍କ ସମେତ ଅନେକ ଖେଳାଳି ସାମିଲ ରହିଛନ୍ତି ।
ଘଟଣାରେ ବିରାଟ କୋହଲି ଦୁଃଖ ପ୍ରକାଶ କରି ନ୍ୟାୟ ଦାବି କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ କହିଛନ୍ତି, ପହଲଗାମରେ ନିର୍ଦ୍ଦୋଷ ଲୋକଙ୍କ ଉପରେ ହୋଇଥିବା ଆକ୍ରମଣରେ ବହୁତ ଦୁଃଖିତ । ପୀଡିତ ପରିବାର ପ୍ରତି ମୋର ସମବେଦନା । ଏଭଳି କ୍ରୁର କାର୍ଯ୍ୟ ପାଇଁ ନ୍ୟାୟ ମିଳିବା ଏବଂ ଜୀବନ ହାରିଥିବା ବ୍ୟକ୍ତିଙ୍କ ପରିବାରକୁ ଶାନ୍ତି ଏବଂ ଶକ୍ତି ପ୍ରଦାନ କରିବା ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା କରୁଛି ।
ବିରାଟଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସମବେଦନା ଜଣାଇଛନ୍ତି । ହାର୍ଦ୍ଦିକ କହିଛନ୍ତି, ପହଲଗାମ ଖବରକୁ ନେଇ ମୁଁ ସ୍ତବ୍ଧ । ପୀଡିତ ପରିବାର ପ୍ରତି ମୋର ସମବେଦନା ରହିଛି ।
ଶୁବମନ ଗିଲ ଏବଂ ଗୌତମ ଗମ୍ଭୀର ମଧ୍ୟ ଘଟଣାକୁ ନେଇ କଡ଼ା ନିନ୍ଦା କରିଛନ୍ତି । ଏହାସହିତ ଦ୍ଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେହିପରି ଆକାଶ ଚୋପ୍ରା ମଧ୍ୟ କଡ଼ା ଦଣ୍ଡ ପାଇଁ ଦାବି କରିଛନ୍ତି । ପାର୍ଥିବ ପଟେଲ ଏବଂ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।
Heartbreaking to hear about the attack in Pahalgam. My prayers are with the victims and their families. Violence like this has no place in our country.
— Shubman Gill (@ShubmanGill) April 22, 2025
ସୂଚନାଯୋଗ୍ୟ, ପହଲଗାମ ରିସର୍ଟ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଏକ ସୁନ୍ଦର ଅଞ୍ଚଳ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ । ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ପହଲଗାମରେ ପର୍ଯ୍ୟଟକଙ୍କ ଏକ ଗ୍ରୁପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଅମରନାଥ ଯାତ୍ରା ପୂର୍ବରୁ ଗତକାଲି ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ନୌସେନା ଓ ଜଣେ ଗୁଇନ୍ଦା ଅଧିକାରୀଙ୍କ ସମେତ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହି ହମଲା ପଛରେ ଆତଙ୍କବାଦୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ । ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି NIA । ଏହି ଆକ୍ରମଣ ପରେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
Also Read : ପହଲଗାମ ହାମଲା, ସୁରକ୍ଷା ଏଜେନ୍ସୀ ଜାରି କଲା ୩ ଆତଙ୍କବାଦୀଙ୍କ ସ୍କେଚ