କିଟ୍ ଓ କିସ୍ ପରିଦର୍ଶନ କଲେ ୱେଲସ୍ ହକି ଟିମ୍, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର(କେନ୍ୟୁଜ ବିରୋ) : ପୁରୁଷ ହକି ବିଶ୍ୱକପ୍ ଚାମ୍ପିଅନ୍ସିପରେ ଭାଗ ନେବାକୁ ଆସିଥିବା ୱେଲସ୍ ହକି ଟିମ୍ ମଙ୍ଗଳବାର କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । କିସ୍ ପରିଦର୍ଶନ ସମୟରେ କିସରେ ପାଠ ପଢୁଥିବା ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଦେଖି ୱେଲସ୍ ହକି ଟିମର ସମସ୍ତ ଖେଳାଳି ଓ ଅଫିସିଆଲ୍ ଚକିତ ହୋଇପଡ଼ିଥିଲେ ।

କିସରେ ଏତେ ସଂଖ୍ୟକ ଜନଜାତି ପିଲାଙ୍କୁ ମାଗଣାରେ ରହିବା, ଖାଇବା ଓ ସ୍ୱାସ୍ଥ୍ୟସେବା ସହ ବିନା ଦେୟରେ ପ୍ରାଥମିକ ସ୍ତରରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଉଚ୍ଚତର ଶିକ୍ଷା ପ୍ରଦାନ କରାଯାଉଥିବା ଜାଣି ସେମାନେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ ।

ବିଶେଷକରି ୱେଲ୍ସ ହକି ଟିମ୍ କିଟ୍ ଓ କିସ୍ରେ ଥିବା ବ୍ୟାପକ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଦେଖି ଆନନ୍ଦ ପ୍ରକାଶ କରିବା ସହ କ୍ରୀଡ଼ା ଓ କ୍ରୀଡାବିତ୍ଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ପ୍ରତିଷ୍ଠାତା ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ । ପରେ କିଟ୍ ବିଶ୍ୱବିଦ୍ୟାଳୟ ହକି ଷ୍ଟାଡିଅମରେ ସେମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ଦୁଇ ଦୁଇଥର ବିଶ୍ୱକପ୍ ହକି ଆୟୋଜିତ ହୋଇପାରିଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସର୍ବଦା ପ୍ରୋତ୍ସାହନ ରହିଆସିଛି । ଏଥିରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ସମେତ ଭୁବନେଶ୍ୱରର ୫୦ଟି ବିଭିନ୍ନ ସ୍କୁଲର ୧୭ଶହ ଛାତ୍ରଛାତ୍ରୀ ଉପସ୍ଥିତ ରହି ୱେଲ୍ସ ଟିମ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ୱେଲ୍ସ ହକି ଟିମର ଖେଳାଳିମାନେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ହକି ଖେଳର ବିଭିନ୍ନ କୌଶଳ ଶିଖାଇଥିଲେ ।

ଏହି କାର୍ଯ୍ୟକ୍ରମରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇକମିଶନ ନିକ୍ ଲୋ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ଇଣ୍ଟରନ୍ୟାସ୍ନାଲ୍ ରିଲେସନ୍ସ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର, କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.