ଓପନିଂ ଛାଡ… ମିଡିଲରେ ଆସ, ପଦକୁ ଜାବୁଡି ନ ଧରି ଅନ୍ୟକୁ ସୁଯୋଗ ଦିଅ; ବାବର ଆଜମଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ ଖେଳାଳି

ଟି-୨୦ ବିଶ୍ୱକପ ୨୦୨୨ରୁ ପାକିସ୍ତାନ ଜିମ୍ବାୱେ ଠାରୁ ମାତ୍ର ୧ ରନ୍ରେ ହାରିଛି। ଏହି ପରାଜୟ ପରେ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ସମାଲୋଚନାର ଶିକାର ହୋଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର୍ସ ବାବର ଆଜମଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ଟିମର ପୂର୍ବତନ ଖେଳାଳି ଓ୍ଵକାର ୟୁନିସ ଏବଂ ଓ୍ଵାସିମ ଆକ୍ରମ ବାବର ଆଜମଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ଖେଳାଳି ଦ୍ୱୟ କହିଛନ୍ତି କି, ବାବର ଓପନିଂ କରିବାକୁ ଆସି ଟିମର ଏମିତି ପରିସ୍ଥିତିରେ ପକାଇଛନ୍ତି। ବାବରଙ୍କ ଏମିତି ଜିଦି ଯୋଗୁଁ ଟିମ୍ କୌଣସି ଏକ୍ସପେରିମେଣ୍ଟ କରିପାରିନାହିଁ।
ଓ୍ଵକାର ୟୁନିସ କହିଛନ୍ତି, ଟି-୨୦ରେ ବ୍ୟାଟିଂ କରିବା ପାଇଁ ସବୁଠାରୁ ସହଜ ସ୍ଥାନ ହେଉଛି ଓପନିଂ। ଗତ ଦୁଇ ବର୍ଷ ମଧ୍ୟରେ ଆଉ କାହାକୁ ଓପନିଂ କରିବାକୁ ଦେଇନଥିଲେ ବାବର ଆଜମ। ଏହା ପୂର୍ବରୁ ମିସବା ଉଲ୍ଲ ହକଙ୍କ ସହିତ ଏହି ବିଷୟରେ ଚର୍ଚ୍ଚା ହୋଇଛି। ବୋଲିଂରେ ଅନେକ ଏକ୍ସପେରିମେଣ୍ଟ ହୋଇଛି। ମଧ୍ୟକ୍ରମରେ ବ୍ୟାଟିଂରେ ମଧ୍ୟ ଅନେକ ଏକ୍ସପେରିମେଣ୍ଟ ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ବେଳେ ବେଳେ ଜଣେ ଅଧିନାୟକ ଏବଂ ଲିଡର ଭାବେ ଆପଣ ନିଜର ସ୍ଥାନ ଛାଡିଦେଇ ଅନ୍ୟକୁ ବ୍ୟାଟିଂ କରିବାର ସୁଯୋଗ ଦେଇଥାନ୍ତେ। କିନ୍ତୁ ଆପଣ ଏମିତି କିଛି କରିନାହାନ୍ତି। ଆମେ କେବେ ଏମିତି ଚେଷ୍ଟା କରିନାହୁଁ, ଆଉ ଏଥିପାଇଁ ମାତ୍ର ୧ ରନ୍ ପାଇଁ ସଂଘର୍ଷ କରିବାକୁ ପଡୁଛି। ୧ ରନ୍ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଟିମ୍କୁ ବିଜୟ ଦେବା ସେତିକି ଜରୁରୀ।
ଠିକ୍ ସେହିପରି ଓ୍ଵାସିମ ଆକ୍ରମ ମଧ୍ୟ ଓ୍ଵକାର ୟୁନିସଙ୍କ ସହିତ ଏକମତ ହୋଇଛନ୍ତି। ସେ କହିଛନ୍ତି, କରାଚୀ କିଙ୍ଗସରେ ବାବର ଆଜମଙ୍କ ସହିତ ଏମିତି ସମସ୍ୟା ସାମ୍ନା କରିବାକୁ ପଡିଛି। ଯଦି ଆପଣ ଅଧିନାୟକ ହୋଇ ନିଜ ପାଇଁ ଖେଳିବାକୁ ଚାହୁଁଚନ୍ତି, ତେବେ ଏହା ଠିକ୍ ନୁହେଁ। ଆପଣ ଟିମ୍ ପାଇଁ ଖେଳିବା ଦରକାର। ଆପଣ ଯଦି ରନ୍ କରୁଛନ୍ତି, ତେବେ ଅନ୍ୟ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଅନ୍ତୁ। ଟିମ୍ ପାଇଁ ଜଣେ ଅଧିନାୟକକୁ ଜଳାଞ୍ଜଳି ଦେବାକୁ ପଡିବ, ତାହା ବାବରଙ୍କୁ ଶିଖିବା ଉଚିତ।
ପାକିସ୍ତାନ ଟିମରେ ବାବର ଆଜମ ଏବଂ ମହମ୍ମଦ ରିଜଓ୍ଵାନ ମୁଖ୍ୟ ବ୍ୟାଟର। କିନ୍ତୁ ଦୁହେଁ ହିଁ ଫର୍ମରେ ନାହାନ୍ତି। ଭାରତ ଏବଂ ଜିମ୍ବାେଓ୍ଵ ବିପକ୍ଷରେ ଖେଳାଳି ଦୁହେଁ ଖରାପ ପ୍ରଦର୍ଶନ କରିଛନ୍ତି। ଯେଉଁ ମ୍ୟାଚରେ ବାବର ଆଜମ ଏବଂ ରିଜଓ୍ଵାନ ବ୍ୟାଟିଂ କରିନାହାନ୍ତି, ସେହି ମ୍ୟାଚ୍ରେ ପାକିସ୍ତାନୀ ଟିମ୍ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।
Also Read : ବିରାଟଙ୍କୁ ଈର୍ଷା କରୁଛନ୍ତି ପାକିସ୍ତାନୀ ଖେଳାଳି, ବ୍ୟାଟିଂ ଦେଖିବା ପରେ ଶୋଏବ ଅଖତର ଦେଲେ ଏମିତି ବୟାନ