ବିହାରର ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ମେଗା ନିଲାମୀରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧୦ କୋଟିରେ କିଣିଛି । କୌଣସି ଦଳରେ ଯୋଗଦେବାରେ ସେ ହୋଇଛନ୍ତି ସର୍ବକନିଷ୍ଠ ଖେଳାଳି । ନିଲାମୀରେ ସୂର୍ଯ୍ୟବଂଶୀଙ୍କ ବେସ୍ ପ୍ରାଇସ୍ ଥିଲା ୩୦ ଲକ୍ଷ ଟଙ୍କା ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ବିଡ୍ କରିଥିଲା । ହେଲେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀକୁ ପଛରେ ପକାଇ ଏହି ଖେଳାଳିଙ୍କୁ କିଣିନେଇଥିଲା ।
ସୂର୍ଯ୍ୟବଂଶୀ ନିଜର ଧୂଆଁଦାର ବ୍ୟାଟିଂ ପାଇଁ ଜଣାଶୁଣା । କିନ୍ତୁ ଆଇପିଏଲ୍ ଯେବେ ଆରମ୍ଭ ହୋଇଥିଲା, ସେହି ସମୟରେ ସେ ଜନ୍ମ ମଧ୍ୟ ହୋଇ ନ ଥିଲେ ।
ଆରଆର ସିଇଓ ଜେକେ ଲଶ ମ୍ୟାକ୍ରମ୍ କହିଛନ୍ତି, ‘ବୈଭବ ନାଗପୁରରେ ଆମ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ତାଲିମ ନେଇଥିଲେ ଏବଂ ଆମର କୋଚିଂ ଷ୍ଟାଫଙ୍କୁ ସେ ପ୍ରକୃତରେ ପ୍ରଭାବିତ କରିଥିଲେ । ସେ ଜଣେ ଅସାଧାରଣ ପ୍ରତିଭାବାନ୍ ଖେଳାଳି । ଯଦିଓ ତାଙ୍କୁ ଆଇପିଏଲ୍ ସ୍ତର ସହ ଖାପ ଖୁଆଇବା ପାଇଁ କଠିନ ପରିଶ୍ରମ ଜାରି ରଖିବାକୁ ପଡ଼ିବ । କିନ୍ତୁ ଆମେ ତାଙ୍କୁ ନିଜ ଫ୍ରାଞ୍ଚାଇଜରେ ସ୍ୱାଗତ କରିବାକୁ ରୋମାଞ୍ଚିତ ଅଛୁ’ ।
ସୂର୍ଯ୍ୟବଂଶୀ ନିକଟରେ ଚେନ୍ନାଇରେ ଅଣ୍ଡର-୧୯ରେ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଶତକ ହାସଲ କରିଥିଲେ ଏବଂ ଏହି ଶ୍ରେୟ ହାସଲ କରିବାରେ ସେ ହୋଇଥିଲେ ସର୍ବକନିଷ୍ଠ ଖେଳାଳି । ଏହି ମ୍ୟାଚରେ ସୂର୍ଯ୍ୟବଂଶୀ ୬୨ ବଲରେ ୧୦୪ ରନ୍ ସଂଗ୍ରହ କରିଥିଲେ ।
ସୂଚନାଥାଉ କି, ଚଳିତ ଜାନୁଆରୀରେ ରଣଜୀ ଟ୍ରଫିରେ ଡେବ୍ୟୁ ପୂର୍ବରୁ ସୂର୍ଯ୍ୟବଂଶୀଙ୍କ ପ୍ରକୃତ ବୟସକୁ ନେଇ ବିବାଦ ଦେଖାଦେଇଥିଲା । ଯେତେବେଳେ କି, ଗତ ବର୍ଷ ଭାଇରାଲ ହୋଇଥିବା ଏକ ସାକ୍ଷାତକାର ଭିଡିଓରେ ସେ କହିଥିଲେ ଯେ ୨୦୨୩ ସେପ୍ଟେମ୍ବରରେ ତାଙ୍କୁ ୧୪ ବର୍ଷ ହେବ ।
ଜୁନିଅର ସର୍କିଟରେ ଚର୍ଚ୍ଚାରେ ଥିବା ଏହି ବାମହାତୀ ଟପ୍ ଅର୍ଡର ବ୍ୟାଟର ପ୍ରଥମ ଶ୍ରେଣୀ କ୍ରିକେଟରେ କୌଣସି ବଡ଼ ଇନିଂସ ଖେଳି ନାହାନ୍ତି । ପାଞ୍ଚଟି ମ୍ୟାଚରେ ସେ ହାରାହାରି ୧୦ ରନ୍ ସଂଗ୍ରହ କରିଛନ୍ତି ।
ବିହାର ସମସ୍ତିପୁରର ବାସିନ୍ଦା ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୪ ବର୍ଷ ବୟସରୁ ତାଙ୍କ କ୍ରିକେଟ୍ ଯାତ୍ରା ହୋଇଥିଲା । କୃଷକ ଥିବା ତାଙ୍କ ବାପା ସଞ୍ଜୀବ ସେତେବେଳେ ଏହି ଖେଳ ପ୍ରତି ପୁଅର ଆଗ୍ରହ ଦେଖିବାକୁ ପାଇଥିଲେ । ସୀମିତ ସମ୍ବଳ ସତ୍ତ୍ୱେ ପୁଅର ପ୍ରତିଭାକୁ ବଢ଼ାଇବା ପାଇଁ ସଞ୍ଜୀବ ଘର ପଛପଟେ ଏକ ଛୋଟିଆ ଅଭ୍ୟାସ କ୍ଷେତ୍ର ତିଆରି କରିଥିଲେ । ୯ ବର୍ଷ ବୟସରେ ସୂର୍ଯ୍ୟବଂଶୀ ଏକ କ୍ରିକେଟ୍ ଏକାଡେମୀରେ ଯୋଗ ଦେଇଥିଲେ ଏବଂ ବହୁତ ଜଲଦି ବିହାର କ୍ରିକେଟରେ ସ୍ଥାନ ପାଇଥିଲେ ।
୨୦୨୩-୨୪ ରଣଜୀ ଟ୍ରଫି ସେସନରେ ସେ ମୁମ୍ବାଇ ବିପକ୍ଷରେ ଡେବ୍ୟୁ କରିଥିଲେ, ସେତେବେଳର ସରକାରୀ ରେକର୍ଡ ଅନୁଯାୟୀ, ସୂର୍ଯ୍ୟବଂଶୀ ଥିଲେ ୧୨ ବର୍ଷ ୨୮୪ ଦିନର, ଯାହାଦ୍ୱାରା ସେ ଟୁର୍ନାମେଣ୍ଟ ଇତିହାସରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ । ମାତ୍ର ୧୨ ବର୍ଷ ବୟସରେ ସେ ବିହାର ପାଇଁ ଭିନୁ ମଙ୍କଡ ଟ୍ରଫି ଖେଳି ପାଞ୍ଚଟି ମ୍ୟାଚରେ ପାଖାପାଖି ୪୦୦ ରନ୍ ସଂଗ୍ରହ କରିଥିଲେ ।