କିଏ ସନ୍ଦୀପ ଥୋରାଟ ? କାହିଁକି ବିନୋଦ କାମ୍ବଲିଙ୍କୁ ଚାକିରି ବାବଦରେ ମାସକୁ ଦେବେ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ଏକମାତ୍ର ଆୟର ଉତ୍ସ ହେଉଛି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଦିଆଯାଇଥିବା ମାସିକ ପେନ୍ସନ୍। ନିଜର ଯନ୍ତ୍ରଣା ବ୍ୟକ୍ତ କରି କାମ୍ବଲି କହିଛନ୍ତି ଯେ ସେ ଏହି ସମୟରେ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଏବଂ ତାଙ୍କ ଘର ଚଳାଇବା ପାଇଁ କୌଣସି କାର୍ଯ୍ୟ ତାଙ୍କ ହାତରେ ନାହିଁ । ବିନୋଦ କାମ୍ବଲିଙ୍କ ଯନ୍ତ୍ରଣାଦାୟକ କଥା ଶୁଣି ମହାରାଷ୍ଟ୍ରର ଜଣେ ବ୍ୟବସାୟୀ ତାଙ୍କୁ ସାହାଯ୍ୟର ହାତ ବଢ଼େଇଛନ୍ତି ଏବଂ ସେ କାମ୍ବଲିଙ୍କୁ ତାଙ୍କ କମ୍ପାନୀରେ ଚାକିରି ଦେଇଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଉଦ୍ୟୋଗୀ ସନ୍ଦୀପ ଥୋରାଟ ବିନୋଦ କାମ୍ବଲିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଖବର ଅନୁଯାୟୀ ଅହମ୍ମଦନଗରର ସାହିଦ୍ରି ମଲ୍ଟିଷ୍ଟେଟ୍ ଚେୟାରମ୍ୟାନ୍ ସନ୍ଦୀପ ଥୋରାଟ ଏହି ଖବର ଦେଖିବା ପରେ ବିନୋଦ କାମ୍ବଲିଙ୍କୁ ଚାକିରି ପାଇଁ ଅଫର ଦେଇଛନ୍ତି। ଶିଳ୍ପପତି ସନ୍ଦୀପ ଥୋରାଟ ବିନୋଦ କାମ୍ବଲିଙ୍କୁ ମାସକୁ ଏକ ଲକ୍ଷ ଟଙ୍କା ଦରମା ଦେଇ ଚାକିରି ପ୍ରଦାନ କରିଛନ୍ତି। ସନ୍ଦୀପ ଥୋରାଟ ଦାବି କରିଛନ୍ତି ଯେ ତାଙ୍କୁ ମୁମ୍ବାଇର ସାହିଦ୍ରି ଇଣ୍ଡଷ୍ଟ୍ରିଆଲ୍ ଗ୍ରୁପର ଏକ ଫାଇନାନ୍ସ କମ୍ପାନୀରେ ଚାକିରି ଦିଆଯିବ ।

ସନ୍ଦୀପ ଥୋରାଟଙ୍କ କହିବା କଥା ‘ବିନୋଦ କାମ୍ବଲି କାହିଁକି ଏପରି ପରିସ୍ଥିତିର ସମ୍ମୁଖୀନ ହେବେ? ଯିଏ କି ଭାରତୀୟ କ୍ରିକେଟକୁ ଏକ ଉଚ୍ଚ ସ୍ତରକୁ ନେଇପାରିଛନ୍ତି । ଆଜି ସେ ଏପରି ପରିସ୍ଥିତି ଦେଇ ଗତି କରୁଛନ୍ତି ଯେଉଁଠାରେ ସେ ପାରିବାରିକ ଖର୍ଚ୍ଚ ଉଠାଇବାକୁ ସକ୍ଷମ ନାହାନ୍ତି । ଏହା ଆମ ସମସ୍ତଙ୍କର ବିଫଳତା। ‘

ଏହା ମଧ୍ୟ କହିଛନ୍ତି ଯେ ସେ ଖୁବ ଶୀଘ୍ର ବିନୋଦ କାମ୍ବଲିଙ୍କୁ ଭେଟିବେ । ସାହିଦ୍ରି ମଲ୍ଟିଷ୍ଟେଟର ଫାଇନାନ୍ସ କମ୍ପାନୀ ମୁମ୍ବାଇରେ ଏକ ଶାଖା ଖୋଲିବାକୁ ଯାଉଛି। ସେ ଏହି ଶାଖାରେ ମ୍ୟାନେଜର ପଦ ପାଇଁ ବିନୋଦ କାମ୍ବଲିଙ୍କୁ ଚାକିରି ଦେବେ ବୋଲି କହିଛନ୍ତି। ତେବେ ଏହା ଦେଖିବାକୁ ଅଛି ଯେ କାମ୍ବଲି ଏହି ଚାରିକି ପ୍ରସ୍ତାବକୁ ଗ୍ରହଣ କରୁଛନ୍ତି କି ନାହିଁ ?

ଅନ୍ୟପଟେ ବିନୋଦ କାମ୍ବଲି ସାକ୍ଷାତକାରରେ କହିଥିଲେ ଯେ ମୁଁ ଜଣେ ଅବସରପ୍ରାପ୍ତ କ୍ରିକେଟର। ମୁଁ ବିସିସିଆଇ ପେନ୍ସନ୍ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ମୋର ଏକମାତ୍ର ଆୟ କେବଳ ପେନସନ । ମୁଁ ବିସିସିଆଇ ପାଖରେ କୃତଜ୍ଞ। ମୋର କାମ ଦରକାର ଯାହାଦ୍ୱାରା ମୁଁ ଯୁବ କ୍ରିକେଟରମାନଙ୍କୁ ସାହାଯ୍ୟ କରିପାରିବି। ମୁମ୍ବାଇ ଅମୋଲ ମଜୁମଦାରଙ୍କୁ ମୁଖ୍ୟ କୋଚ ଭାବେ ରଖିଛନ୍ତି। ଯଦି ସେମାନେ ମୋତେ ଅଫର ଦେବେ ତେବେ ମୁଁ କାମ କରିବି। ‘ମୁଁ ତାଙ୍କୁ ଅନେକ ଥର କହିଛି ଯେ ଯଦି ମୋର ଆବଶ୍ୟକ ତେବେ, ମୁଁ ଆପଣଙ୍କ ସହିତ ଅଛି। କାରଣ ମୋର ପରିବାର ଅଛି ମୋତେ ସେମାନଙ୍କର ଯତ୍ନ ନେବାକୁ ପଡିବ । କ୍ରିକେଟ୍ ରୁ ଅବସର ନେବା ପରେ କୌଣସି କାର୍ଯ୍ୟ ହାତରେ ନାହିଁ , କିନ୍ତୁ ଯଦି ଆପଣ ମୋ ଜୀବନରେ ସ୍ଥିରତା ଚାହୁଁଛନ୍ତି ତେବେ କାର୍ଯ୍ୟର ଆବଶ୍ୟକ ରହିଛି। ମୁଁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ) ସଭାପତିଙ୍କୁ ଅନୁରୋଧ କରିବି ଯେ ଯଦି ମୋର ଆବଶ୍ୟକ ହୁଏ ତେବେ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.