କ’ଣ ନୂଆ IPL ଟିମ୍‌ କିଣିବେ କି ଦୀପିକା ଓ ରଣବୀର? ଦିନେଶ କାର୍ତ୍ତିକ ସମ୍ଭାବିତ ଜର୍ସିକୁ ନେଇ ଉଭୟଙ୍କୁ କଲେ ଟ୍ରୋଲ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ରେ ୮ ନୁହେଁ, ବରଂ ୧୦ ଫ୍ରାଞ୍ଚାଇଜ ଟିମ୍‌ ଭାଗ ନେବେ। ଦୁଇଟି ନୂଆ ଫ୍ରାଞ୍ଚାଇଜ ଟିମ୍‌ ଚଳିତ ବର୍ଷ ଆଇପିଏଲ୍‌ରେ ଯୋଡ଼ି ହେବେ ଏବଂ ଆଗାମୀ ବର୍ଷ ମଇଦାନକୁ ଓହ୍ଲାଇବେ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ ଏକ ବିଜ୍ଞପ୍ତି ଜାରି କରିଥିଲା, ଯେଉଁଥିରେ ଦୁଇଟି ନୂଆ ଫ୍ରାଞ୍ଚାଇଜ ସହିତ ଯୋଡ଼ି ହେବା ଲାଗି ଇଚ୍ଛୁକ ପାର୍ଟିଗୁଡ଼ିକଠାରୁ ନିଲାକ ଡାକ ମାଗିଥିଲା। କାହିଁକିନା, ଆଗାମୀ ବର୍ଷ ଖେଳାଳିଙ୍କ ମେଗା ନିଲାମ ପୂର୍ବରୁ ଏହା ବିଷୟରେ ସୂଚନା ପାଇଯିବା ଦରକାର। ଏହାରି ଭିତରେ ଖବର ଆସିଛି କି, ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କ ସ୍ୱାମୀ ତଥା ବଲିଉଡ୍‌ ଅଭିନେତା ରଣବୀର ସିଂ ନୂଆ ଆଇପିଏଲ୍‌ ଫ୍ରାଞ୍ଚାଇଜ ଟିମ୍‌ ପାଇଁ ନିଲାମ ଡାକ ଲଗେଇବାରେ ଆଗ୍ରହ ଦେଖାଇଛନ୍ତି। ଏହା ଉପରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ଅଧିନାୟକ ରହି ସାରିଥିବା ଦିନେଶ କାର୍ତ୍ତିକ ସମ୍ଭାବିତ ଜର୍ସିକୁ ନେଇ ଏହି ଦୁଇଜଣଙ୍କୁ ଟ୍ରୋଲ କରିଛନ୍ତି।

ମିଡିଆ ଖବର ମୁତାବକ, ଦୀପିକା ଓ ରଣବୀର ମଧ୍ୟ ନୂଆ ଦୁଇଟି ଟିମ୍‌ ପାଇଁ ନିଲାମ ଡାକ ଲଗାଇବା ଲାଗି ପ୍ରସ୍ତୁତ ଅଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ଦିନେଶ କାର୍ତ୍ତିକ ଟ୍ଵିଟରରେ ଲେଖିଛନ୍ତି, ‘ସେହି ଟିମ୍‌ର ଜର୍ସି ମଜାଦାର ରହିବ’। ପ୍ରକୃତ କଥା ହେଉଛି, ରଣବୀର ସିଂ ନିଜର ରଙ୍ଗିଲା ଡ୍ରେସିଙ୍ଗ୍‌ ସେନ୍ସ ପାଇଁ ଜଣାଯାଇ ଥାଆନ୍ତି ଏବଂ ଏହାକୁ ନେଇ ଖୁବ୍‌ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ତେଣୁ ସମ୍ଭାବିତ ଜର୍ସିକୁ ନେଇ ଦିନେଶ କାର୍ତ୍ତିକ ଦୀପିକା ଓ ରଣବୀରଙ୍କୁ ଟ୍ରୋଲ କରିଛନ୍ତି।

ଆଇପିଏଲ୍‌ ୨୦୨୨ ପୂର୍ବରୁ ଖେଳାଳିଙ୍କର ମେଗା ନିଲାମ ହେବାର ଅଛି। ଏହି ମେଗା ନିଲାମ ପାଇଁ ଫ୍ରାଞ୍ଚାଇଜ ଟିମ୍‌ଗୁଡ଼ିକୁ ଖେଳାଳିମାନଙ୍କୁ ରଖିବାର କ’ଣ ନିୟମ ରହିବ, ତାହା ବର୍ତ୍ତମାନ ଖୁଲାସା କରାଯାଇ ନାହିଁ। ଫ୍ରାଞ୍ଚାଇଜ କେତେ ଖେଳାଳିଙ୍କୁ ରଖି ପାରିବ, ତାହାକୁ ନେଇ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କିନ୍ତୁ କୁହାଯାଉଛି କି, ଏକ ଫ୍ରାଞ୍ଚାଇଜ ଟିମ୍‌ ୩ ଭାରତୀୟ ଏବଂ ଜଣେ ବିଦେଶୀ କ୍ରିକେଟରଙ୍କୁ ରିଟେନ କରି ପାରିବ।

ଦୁବାଇରେ ଦୁଇ ନୂଆ ଟିମ୍‌ ପାଇଁ ନିଲାମ ଡାକ ହେବ

ଆଇପିଏଲ୍‌ ୨୦୨୨କୁ ନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ପୂର୍ବରୁ ହିଁ ଘୋଷଣା କରି ଦେଇଥିଲା କି, ଟୁର୍ନାମେଣ୍ଟରେ ଆଉ ଦୁଇଟି ଟିମ୍‌ ଯୋଡ଼ି ହେବାକୁ ଯାଉଛନ୍ତି। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ରିପୋର୍ଟ ମୁତାବକ, ୨୫ ଅକ୍ଟୋବରରେ ଦୁବାଇରେ ଦୁଇଟି ନୂଆ ଟିମ୍‌ ପାଇଁ ନିଲାମ ଡାକ ଲଗାଯିବ। ଟୁର୍ନାମେଣ୍ଟରେ ନୂଆ ଟିମ୍‌ଙ୍କୁ ଓହ୍ଲାଇବା ପାଇଁ ଅନେକ ବଡ଼ ବିଜନେସ୍‌ମ୍ୟାନ, ବଲିଉଡ୍‌ ଷ୍ଟାର ଏବଂ କମ୍ପାନୀଗୁଡ଼ିକ ଆଗ୍ରହ ଦେଖାଇଛନ୍ତି। ଏହି କଥା ମଧ୍ୟ ସାମ୍ନାକୁ ଆସିଛି ଯେ କେଉଁ ସହରର ଟିମ୍‌ ଆଇପିଏଲ୍‌ ୨୦୨୨ରେ ନଜର ଆସି ପାରନ୍ତି। ଏହି ଦୌଡ଼ରେ ଅହମଦାବାଦ ଓ ଲକ୍ଷ୍ନୌ ସ୍ପଷ୍ଟ ରୂପେ ଆଗରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.