ଯୁଦ୍ଧ ଯୋଗୁଁ ବନ୍ଦ ହୋଇପାରେ IPL ୨୦୨୫ ! ବିଦେଶୀ ଖେଳାଳିଙ୍କ ପାଇଁ ଚିନ୍ତାରେ ବିସିସିଆଇ

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ବିସିସିଆଇ ଆଇପିଏଲ୍ ୨୦୨୫କୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ, ବିଦେଶୀ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ ଏବଂ ବ୍ରଡକାଷ୍ଟ କ୍ରୁଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ଫେରାଇବା ପାଇଁ ବିସିସିଆଇ ଏକ ଜରୁରୀ ବୈଠକ ଡାକିଛି।

ଆଇପିଏଲର ଚେୟାରମ୍ୟାନ ଅରୁଣ ଧୁମଲ କହିଛନ୍ତି, ଲିଗ୍ ଜାରି ରଖିବା ନିଷ୍ପତ୍ତି ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ତେବେ ଆଜି ହେବାକୁ ଥିବା ମ୍ୟାଚ ନିର୍ଦ୍ଧାରିତ ସମୟ ଅନୁସାରେ ଖେଳାଯିବ । ଏବେ ସ୍ଥିତିର ସମୀକ୍ଷା ଚାଲିଛି । ଆମକୁ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ମିଳିନାହିଁ । ତେବେ ସମସ୍ତ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।

ଧର୍ମଶାଳାରେ ଗତକାଲି ହୋଇଥିବା ପଞ୍ଜାବ କିଙ୍ଗସ୍ (PBKS) ଏବଂ ଦିଲ୍ଲୀ କ୍ୟାପିଟାଲସ୍ (DC) ମଧ୍ୟରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ (HPCA) ଷ୍ଟାଡିୟମରେ ମ୍ୟାଚ ସୁରକ୍ଷା କାରଣରୁ ବାତିଲ କରାଯାଇଥିଲା । ମ୍ୟାଚ ରଦ୍ଦ ପରେ ଦୁଇଟି ଯାକ ଟିମ୍ ଖେଳାଳି ଏବଂ ସହଯୋଗୀ ଷ୍ଟାଫକୁ ସ୍ପେଶାଲ ଟ୍ରେନ ଜରିଆରେ ଦିଲ୍ଲୀ ଅଣାଯାଇଥିଲା ।

ଏକ୍ସରେ ପ୍ରକାଶିତ ପୋଷ୍ଟ ଅନୁସାରେ, ବିସିସିଆଇ ଏକ ଜରୁରୀ ବୈଠକ ଡାକି ଆଇପିଏଲ୍ ସ୍ଥଗିତ କରିବା ସହ ବିଦେଶୀ ଖେଳାଳିଙ୍କୁ ସେମାନଙ୍କ ଦେଶକୁ ସୁରକ୍ଷିତ ଫେରାଇବାକୁ ପ୍ରାଥମିକତା ଦେଇଛି ।
ଆଇପିଏଲ୍ ୨୦୨୫ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ଅନେକ ବିଦେଶୀ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ବର୍ତ୍ତମାନର ସୁରକ୍ଷା ସଙ୍କଟ ମଧ୍ୟରେ, ବିସିସିଆଇ ଏହି ଖେଳାଳିଙ୍କୁ ସେମାନଙ୍କ ଦେଶମାନଙ୍କୁ ଫେରାଇବା ପାଇଁ ସେମାନଙ୍କ ନିଜ ନିଜ କ୍ରିକେଟ ବୋର୍ଡ ଏବଂ ଦୂତାବାସ ସହ ମିଳିତ ଭାବେ କାର୍ଯ୍ୟ କରୁଛି ।

ଏହା ପୂର୍ବରୁ ଏପ୍ରିଲ ୨୨ରେ ଜାମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା, ଯାହାକୁ ଭାରତ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଥିବା ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ’ (TRF) ଦାୟୀ ବୋଲି ଅଭିଯୋଗ କରିଛି । ଏହାର ଜବାବରେ ଭାରତ ମେ ୭ରେ ‘ଅପରେସନ ସିନ୍ଦୁର’ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ମିଳିତ ସୈନ୍ୟ ଆକ୍ରମଣ କରିଥିଲା ।

Also Read : ଭାରତ-ପାକିସ୍ତାନ ଯୁଦ୍ଧର ପ୍ରଥମ ଭିଡିଓ ଜାରି କଲା ଭାରତୀୟ ସେନା, X ରେ କଲା ଅପଲୋଡ