କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ପ୍ରଦାନ

ଭୁବନେଶ୍ୱର(କେନ୍ୟୁଜ୍‌) :  କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ପ୍ରଦାନ । ଭେଟରାନ୍‌ ହକି କୋଚ୍‌ କାଳୁ ଚରଣ ଚୌଧୁରୀଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଅଲିମ୍ପିଆନ୍‌ ଅମିତ ରୋହିଦାସଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡାବିତ୍‌ ଆଓ୍ଵାର୍ଡରେ ସମ୍ମାନୀତ କରାଯାଇଛି ।

ଏହାସହ ପାରା ବ୍ୟାଡମିଣ୍ଟନ କୋଚ୍‌ ଶିବ ପ୍ରସାଦ ଦାସଙ୍କୁ ଶ୍ରେଷ୍ଠ କୋଚ୍‌ ଭାବେ ସମ୍ମାନୀତ କରାଯାଇଛି । ଅମିତ ରୋହିଦାସଙ୍କୁ ମାନପତ୍ର ସହ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଇଛି । କାଳୁ ଚରଣ ଚୌଧୁରୀଙ୍କୁ ମାନପତ୍ର ସହ ୩ ଲକ୍ଷ ଟଙ୍କା ଓ ଶିବ ପ୍ରସାଦ ଦାସଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି । କଟକରେ କାର୍ଯ୍ୟରତ ପୋଲିସ ଏଏସଆଇ ତ୍ରୈଲୋକ୍ୟ ନାଥ ପରିଡାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ତ୍ରୈଲୋକ୍ୟ ନାଥ ପରିଡାଙ୍କୁ ରୌପ୍ୟ ପଦକ ସହ ୧ଲକ୍ଷ ଟଙ୍କା ଦିଆଯାଇଛି ।

ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତିି, ଟୋକିଓ ଅଲିମ୍ପିକସ୍‌ରେ ଭାରତୀୟ ହକି ଟିମ୍‌ର ପ୍ରଦର୍ଶନ ହେଉଛି ହକି ଲିଜେଣ୍ଡ୍ରୀ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ହକିରେ ଓଡ଼ିଶାରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଓଡ଼ିଶାର ସ୍ପୋର୍ଟସ ମଡେଲକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି ।

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ହକି ଟିମର ଓଡ଼ିଶା ପ୍ରାୟୋଜକ ଥିବାରୁ ସାରା ଦେଶ ପ୍ରଶଂସା କରୁଛି । ସେହିପରି ହାଇ ପରଫରମାନ୍ସ ସେଣ୍ଟର, ସହଭାଗିତାର ମଡେଲ, ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିଛି । ଯାହାକି କ୍ରୀଡ଼ା କ୍ଷେତ୍ରରେ ଆମର ଦୂରଦୃଷ୍ଟି, ବିନିବେଶ ଓ ଉଦ୍ୟମକୁ ପ୍ରତିପାଦିତ କରୁଛି ।

ଏହା କ୍ରୀଡାକୁ ଉଚ୍ଚତର ଶିଖରକୁ ନେବା ପାଇଁ ସମସ୍ତେ ପ୍ରତିବଦ୍ଧତାର ସହ ଏକାଠି ହୋଇ କାମ କରିବାର ସୁଯୋଗ ଆଣିଦେଇଛି । ମୁଁ ନିଶ୍ଚିତ ଯେ, ଆହୁରି ଅଧିକ କୋଚ୍‌ ଓ ଖେଳାଳି ଅନୁପ୍ରାଣିତ ହେବେ ଓ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.