ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ବିବାଦ: ମହାସଂଘ ମୁଖ୍ୟ ବ୍ରିଜଭୂଷଣ ସିଂଙ୍କୁ ବିଦା ନକଲେ ଜାରି ରହିବ ଆନ୍ଦୋଳନ

ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ବିବାଦ । ଦିଲ୍ଲୀର ଜନ୍ତରମନ୍ତରଠାରେ ଭାରତର ପ୍ରସିଦ୍ଧ ରେସଲରମାନଙ୍କ ପ୍ରତିବାଦ ଓ ଧାରଣା ତୃତୀୟ ଦିନରେ ଜାରି ରହିଛି। ଭାରତୀୟ କୁସ୍ତି ସଂଘ (WFI) ସଭାପତି ବ୍ରିଜଭୂଷଣ ଶରଣ ସିଂହ ଓ କିଛି କୋଚ୍କୁ ବହିଷ୍କାର କରିବା ପାଇଁ କୁସ୍ତି ଯୋଦ୍ଧାମାନେ ଜିଦ୍ ଧରି ବସିଛନ୍ତି। ରେସଲରମାନଙ୍କୁ ଭେଟିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର। ୨୪ ଘଣ୍ଟା ମଧ୍ୟରେ WFI ସଭାପତି ପଦରୁ ଇସ୍ତଫା ଦେବା ପାଇଁ ବ୍ରିଜଭୂଷଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ତାଙ୍କୁ ବିତାଡ଼ିତ କରାଯିବ ବୋଲି କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଟେଲିଫେନ୍ ଯୋଗେ ଜଣାଇ ଦିଆଯାଇଛି। ଏପଟେ କୌଣସି ଭୁଲ କରନଥିବାରୁ ଇସ୍ତଫା ଦେବେ ନାହିଁ ବୋଲି ସଭାପତି ବ୍ରିଜଭୂଷଣ ଜଣାଇଛନ୍ତି। ତା ସହ ସବୁ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ରହିଥିବା ସେ ସଫେଇ ଦେଇଛନ୍ତି।
ମହିଳା ରେସଲରଙ୍କୁ ଜାତୀୟ ସ୍ତରର କୋଚ୍ମାନେ ଯୌନ ଶୋଷଣ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି କମନେଓ୍ଵଲଥ ଓ ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜେତା ପ୍ରଥମ ମହିଳା ରେସଲର ଭିନେଶ ଫୋଗତ, ରବି କୁମାର ଡାହିୟା, ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ । WFI ସଭାପତିକୁ ତୁରନ୍ତ ବହିଷ୍କାର କରିବା ସହ WFI ବଦଳରେ ନୂଆ ସଂଘ ଗଢିବା ପାଇଁ ରେସଲରମାନେ ଦାବି କରିଛନ୍ତି। ରେସଲରମାନଙ୍କ ଅଭିଯୋଗ ଗ୍ରହଣ କରିବା ମାତ୍ରେ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି WFIକୁ ଜବାବ ତଲବ କରାଯାଇଥିଲା। ଆଗାମୀ ୭୨ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୋଗର ଉତ୍ତର ରଖିବା ପାଇଁ WFIକୁ କ୍ରୀଡା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା।.