ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହେଲେ ବିରାଟ

ଏଜବାସଷ୍ଟନ୍ : ଜଏଜବାଷ୍ଟନ୍‌ ଟେଷ୍ଟରେ ହାରିଗଲା ଭାରତ । କିନ୍ତୁ ଜିତିଗଲେ ବିରାଟ କୋହଲି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ବଢ଼ିଲା ବିଶ୍ୱ ର‍୍ୟାଙ୍କିଂ । ଆଇସିସି ଟେଷ୍ଟ ର‍୍ୟାଙ୍କିଂରେ ବିରାଟ କୋହଲିଙ୍କୁ ମିଳିଛି ଏକ ନମ୍ବର ସ୍ଥାନ । ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌କୁ ପଛକୁ ଠେଲି ଟେଷ୍ଟ କ୍ରିକେଟର ନୂଆ ବସ୍‌ ହୋଇଛନ୍ତି ବିରାଟ । ଏକ ନମ୍ବର ସ୍ଥାନରୁ ଦୁଇ ନମ୍ବରକୁ ଖସିଛନ୍ତି ଷ୍ଟିଭ୍‌ ସ୍ମିଥ୍‌ । କୋହଲିଙ୍କୁ ମିଳିଛି ୯୩୪ ପଏଣ୍ଟ । ସ୍ମିଥ୍‌ଙ୍କ ପଏଣ୍ଟ ରହିଛି ୯୨୯ । ତେବେ ବଲ୍‌ ଟାମ୍ପରିଂ ଅଭିଯୋଗରେ ବାସନ୍ଦ ହୋଇଛନ୍ତି ସ୍ମିଥ୍‌ । ତେଣୁ କୋହଲି ଆଗକୁ ମଧ୍ୟ ରେକର୍ଡର ଅଧିକାରୀ ହୋଇ ରହିପାରନ୍ତି ।

ଏଜ୍‌ବାଷ୍ଟନ୍‌ ଟେଷ୍ଟର ପ୍ରଥମ ଇନିଂସରେ ୧୪୯ ଓ ଦ୍ୱିତୀୟ ଇନିଂସରେ ୫୧ ରନ୍‌ କରିବା ପରେ ବିରାଟଙ୍କୁ ଏହି ସଫଳତା ମିଳିଛି । ୨୦୧୫ ଡିସେମ୍ବରରୁ ସ୍ମିଥ୍‌ ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟ୍ସ ମ୍ୟାନ୍‌ ଥିଲେ । ସଚିନ୍‌ ତେନ୍ଦୁଲକରଙ୍କ ପରେ ସପ୍ତମ ଭାରତୀୟ ଭାବରେ ଟେଷ୍ଟ କ୍ରିକେଟରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ କୋହଲି । ଶେଷ ଭାରତୀୟ ଭାବରେ ୨୦୧୧ରେ ସଚିନ ତେନ୍ଦୁଲକର ଟେଷ୍ଟର ଏକ ନମ୍ବର ବ୍ୟାଟ୍‌ସମ୍ୟାନ୍‌ ମାନ୍ୟତା ହାସଲ କରିଥିଲେ । ପୂର୍ବରୁ ସଚିନଙ୍କ ସମେତ ସୁନୀଲ ଗାଭାସ୍କର, ଦିଲ୍ଲୀର ଭେଙ୍କସରକାର, ରାହୁଲ ଦ୍ରାଭିଡ୍‌, ବୀରେନ୍ଦ୍ର ସେହଓ୍ଵାଗ ଓ ଗୌତମ ଗମ୍ଭୀର ଏହି ରେକର୍ଡର ଅଧିକାରୀ ହୋଇଥିଲେ ।