ଅନ୍ତିମ ପଙ୍ଘାଲ ଏବଂ ଟିମ୍କୁ ପ୍ୟାରିସ ଛାଡିବାକୁ ନିର୍ଦ୍ଦେଶ, ନିୟମ ଭାଙ୍ଗିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଲା IOA
ଭାରତୀୟ କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲଙ୍କ ପ୍ୟାରିସ ଅଲିମ୍ପିକ୍ସ ଗ୍ରାମର ମାନ୍ୟତା ରଦ୍ଦ କରିଦିଆଯାଇଛି । ଏଥିସହିତ ଅନ୍ତିମ ଏବଂ ତାଙ୍କ ଟିମ୍କୁ ପ୍ୟାରିସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନିଜ ଭଉଣୀଙ୍କ ତ୍ରୁଟି କାରଣରୁ ଅନ୍ତିମଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଖବର ମୁତାବକ, ଫ୍ରାନ୍ସ ଅଧିକାରୀ ଭାରତୀୟ ଅଲିମ୍ପିକ୍ସ ସଂଘକୁ ଅଭିଯୋଗ କରିଥିଲେ କି, ଅନ୍ତିମଙ୍କ ଭଉଣୀ ଭୁଲ ଉପାୟ ଆପଣାଇ କ୍ୟାମ୍ପସ ଭିତରେ ପ୍ରବେଶ କରିବାକୁ ପ୍ରୟାସ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ଧରା ପଡ଼ିଥିଲେ । ଏହି ଅଭିଯୋଗ ପାଇଁ ଅନ୍ତିମଙ୍କ ଭଉଣୀ ନିଶା ପଙ୍ଘାଲଙ୍କୁ ପୋଲିସ କିଛି ସମୟ ପାଇଁ ହେପାଜତକୁ ନେଇଥିଲା । ଏହାପରେ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ହସ୍ତକ୍ଷେପ କରିବା ପରେ ଅନ୍ତିମଙ୍କ ଭଉଣୀଙ୍କୁ ଚେତାବନୀ ଦେଇ ଛଡ଼ା ଯାଇଥିଲା । ତେବେ ଏହି ଘଟଣାରେ ଆଇଓଏ ତରଫରୁ ଅନ୍ତିମ, ତାଙ୍କର କୋଚ ଓ ଭାଇ-ଭଉଣୀଙ୍କୁ ପ୍ୟାରିସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଇଓଏ ବୟାନ ମୁତାବକ, ଅନ୍ତିମ ପଙ୍ଘାଲ ନିଜ ଭଉଣୀକୁ ନିଜର ଆର୍କିଡେକ୍ସନ ଦେଇଥିଲେ । ଫଳରେ ତାଙ୍କ ଭଉଣୀ ଖେଳଗ୍ରାମରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଅନ୍ତିମ ନିୟମ ଉଲ୍ଲଂଘନ କରିଥିବା ନେଇ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ତରଫରୁ ଅଭିଯୋଗ ଅଣାଯିବା ପରେ ଆଇଓଏ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ତିମ ତାଙ୍କ ଭଉଣୀ ନିଶାଙ୍କୁ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପ୍ରବେଶ ନେଇ ମାନ୍ୟତା ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ସ୍ପଷ୍ଟ ହେବା ପରେ ଆଇଓଏ ତରଫରୁ ଭାରତୀୟ କୁସ୍ତିଯୋଦ୍ଧା ଓ ତାଙ୍କର ସହଯୋଗୀ ଷ୍ଟାଫଙ୍କୁ ଭାରତ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଅନ୍ତିମ ନିଜର ଓପନିଂ ରାଉଣ୍ଡରେ ତୁର୍କୀର ପ୍ରତିଯୋଗୀ ଜେନ୍ୟାପ ୟେଟଗିଲଙ୍କ ଠାରୁ ୫୩ କେଜି ବର୍ଗରେ ୦-୧୦ରେ ପରାସ୍ତ ହୋଇଥିଲେ ।