ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁରକ୍ଷା ଢ଼ିଲା! ଛାତରୁ ଖସିଲା ସ୍ପିକର, ମ୍ୟାଚ୍‌ ରୋକି ଷ୍ଟାଡିୟମ୍‌ କରାଗଲା ଖାଲି

ବର୍ମିଂହମ୍‌ରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁକ୍ରବାର ୮ମ ଦିନରେ ଟୁର୍ନାମେଣ୍ଟର ଆୟୋଜକମାନଙ୍କୁ ଲୋକଲଜ୍ଜା ହେବାକୁ ପଡ଼ିଛି। ଏଠାରେ କୁସ୍ତି ମୁକାବିଲାର ପ୍ରଥମ ସେସନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାର କିଛି ମିନିଟ୍‌ ପରେ ଛାତରୁ ସ୍ପିକର ଖସି ପଡ଼ିଥିଲା। ଯାହାଫଳରେ ପ୍ରତିଯୋଗିତାକୁ ଅଟକାଇବାକୁ ପଡ଼ିଥିଲା ଏବଂ ଦର୍ଶକଙ୍କୁ ତୁରନ୍ତ ହଲ୍‌ ଖାଲି କରିବାକୁ କୁହାଯାଇଥିଲା।

ରିପୋର୍ଟ ମୁତାବକ, କୁସ୍ତିର ପ୍ରଥମ ସେସନରେ ମାତ୍ର ୫ଟି ମୁକାବିଲା ହୋଇ ପାରିଥିଲା। ଘୋଷଣାକୁ ରିଲେ କରିବା ପାଇଁ ବ୍ୟବହୃତ ସ୍ପିକର ହଠାତ୍‌ ମ୍ୟାଟ୍‌ ଅଧ୍ୟକ୍ଷଙ୍କ ପାଖରେ ଗଳି ପଡ଼ିଥିଲା, ଫଳରେ ମୁକାବିଲାକୁ ସେଇଠି ଅଟକାଇ ଦିଆଯାଇଥିଲା। ଏହି ଘଟଣାକୁ ନେଇ କୁସ୍ତି ପ୍ରତିଯୋଗିତାର ପ୍ରଥମ ଦିନରେ ହିଁ ସେଭେଣ୍ଟାରୀ ଷ୍ଟାଡିୟମ୍‌ରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଏହି ଘଟଣା ଭାରତର ଦୀପକ ପୁନିଆଙ୍କୁ ୮୬ କେଜି ପ୍ରାରମ୍ଭିକ ମୁକାବିଲାରେ ମିଳିଥିବା ବିଜୟ ପରେ ଘଟିଥିଲା। ସ୍ପିକର ଖସିଯିବା ପରେ ଦର୍ଶକମାନଙ୍କୁ ଷ୍ଟାଡିୟମ୍‌ ଖାଲି କରିବାକୁ କୁହାଯାଇଥିଲା। ଘଟଣା ପରେ ଆୟୋଜକ ଏହାର ସମ୍ପୂର୍ଣ୍ଣ ଯାଞ୍ଚ ଆଦେଶ ଦେଇଛନ୍ତି।

ଯଦିଓ ଖେଳକୁ ସ୍ଥାନୀୟ ସମୟାନୁସାରେ ୧୨ଟା ୪୫ରେ ପୁଣିଥରେ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜଣେ କୋଚ୍‌ କହିଛନ୍ତି, ସମସ୍ତେ ସୁରକ୍ଷିତ ଅଛନ୍ତି। ଆଗକୁ କୌଣସି ବି ମନ୍ଦ ଘଟଣାରୁ ବଞ୍ଚିବା ପାଇଁ ପୂରା ଷ୍ଟାଡିୟମ୍‌କୁ ପୁନଃ ଯାଞ୍ଚ କରାଯାଉଛି।

Leave A Reply

Your email address will not be published.