ଚର୍ଚ୍ଚାରେ ଲାଗିଲା ବିରାମ, ଦ୍ବିତୀୟ ଟେଷ୍ଟରେ ଓପନିଂ କରିବେନି ରୋହିତ ଶର୍ମା
ପିଙ୍କ ବଲ ଟେଷ୍ଟରେ ଭାରତୀୟ ଦଳର ନୂଆ ରଣନୀତି । ଆଡିଲେଡ୍ ଟେଷ୍ଟରେ ଓପନିଂ କରିବେନି ଅଧିନାୟକ ରୋହିତ ଶର୍ମା । ପାଳି ଆରମ୍ଭ କରିବେ କେଏଲ ରାହୁଲ-ଯଶସ୍ବୀ ଯୋଡି । ଏନେଇ ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ପର୍ଥ ଟେଷ୍ଟରେ ହିଟ ମ୍ୟାନଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ଓପନିଂ କରିଥିଲେ । ଦ୍ବିତୀୟ ପାଳିରେ ଉଭୟ ମିଶି ଚମକପ୍ରଦ ୨୦୧ ରନର ପାଟର୍ଣ୍ଣରସିପ କରିଥିଲେ । ତେଣୁ ଓପନିଂରେ କୌଣସି ପରବର୍ତ୍ତନ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ହିଟ୍ ମ୍ୟାନ୍ ।
ଆଡିଲେଡ୍ ଟେଷ୍ଟରେ କମବ୍ୟାକ ପରେ ରୋହିତ ଓପନିଂ କରିବେ ନା ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତେଣୁ ରୋହିତ ଶର୍ମା ମ୍ୟାଚର ଗୋଟେ ଦିନ ପୂର୍ବରୁ ଖୁଲାସା କରିଛନ୍ତି । ତେବେ ଯଶସ୍ବୀ -ରାହୁଲ ଓପନିଂ କଲେ ରୋହିତ ମଧ୍ୟକ୍ରମରେ ଯାଦୁ ଦେଖାଇବେ । ପ୍ରଥମ ଟେଷ୍ଟରେ କେଏଲ ରାହୁଲ ଏବଂ ଯଶସ୍ବୀ ୨୦୧ ରନର ପାଟର୍ଣ୍ଣରସିପ କରିଥିଲେ । କେଏଲ ରାହୁଲଙ୍କୁ ନେଇ ରୋହିତ କହିଛନ୍ତି, ଆମେ ସଫଳତା ଚାହୁଁଛି । ମୁଁ ଘରେ ଥିଲି, ହେଲେ ରାହୁଲଙ୍କ ବ୍ୟାଟିଂ ଭଲ ଲାଗିଲା । ରାହୁଲ ବିଦେଶ ମାଟିରେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ଏହି ସମୟରେ ସେ ଓପନିଂ କରିବାର ହକଦାର । ପର୍ଥରେ ଯଶସ୍ବୀ ଏବଂ ରାହୁଲଙ୍କ ପାଟର୍ଣ୍ଣରସିପ କମାଲ କରିଥିଲା । ତେଣୁ ଏହି ଯୋଡିକୁ ପରିବର୍ତ୍ତନ କରିବାକୁ ଚାହୁଁନାହିଁ ।
ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ୫ଟିକିଆ ଟେଷ୍ଟ ସିରିଜର ଦ୍ବିତୀୟ ମ୍ଯାଚ୍ । ପ୍ରଥମ ଟେଷ୍ଟ ପରେ ଦ୍ବିତୀୟ ବିଜୟ ନେଇ ଆଡିଲେଡ୍ ମଇଦାନକୁ ଓହ୍ଲାଇବ ଭାରତୀୟ ଦଳ । ମ୍ୟାଚରେ ଅଧିକ ରୋମାଞ୍ଚ ଭରିବ ପର୍ଥରେ ଛୁଟିରେ ଥିବା ରୋହିତ ଶର୍ମାଙ୍କ କମବ୍ୟାକ୍ । ପ୍ରଥମ ଟେଷ୍ଟରେ ରୋହିତ ଅନୁପସ୍ଥିତ ରହିଥିଲେ, ତେଣୁ ବୁମରା ଅଧିନାୟକ ଦାୟିତ୍ବ ତୁଲାଇଥିଲେ ।
ସେପଟେ ଆଡିଲେଡ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା ଲାଗିଛି । ଦଳର ଦ୍ରୁତ ବୋଲର ଯୋଶ ହେଜଲବୁଡ୍ ଆହତ ସମସ୍ୟା ଯୋଗୁଁ ଦ୍ବିତୀୟ ମ୍ୟାଚରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ସ୍କଟ୍ ବୋଲେଣ୍ଡଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯିବ । ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୨୯୫ ରନରେ ଜିତି ୫ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତୀୟ ଦଳ ।
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା ( ଉପ ଅଧିନାୟକ), ଯଶସ୍ବୀ ଜୟସୱାଲ, ଅଭିମନ୍ୟୁ ଈଶ୍ବରନ, ଶୁବମନ ଗିଲ୍, ବିରାଟ କୋହଲି, ଦେବଦତ୍ତ ପାଡିକିଲ୍ଲ, କେଏଲ ରାହୁ, ରିଷଭ ପନ୍ତ, ସରଫରାଜ ଖାନ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତିଶ କୁମାର ରେଡି, ୱାଶିଂଟନ ସୁନ୍ଦର ।