ବିଶ୍ବ ରେକର୍ଡ କଲା ଜିମ୍ବାୱେ, ଟି୨୦ କ୍ରିକେଟରେ କଲା ସର୍ବାଧିକ ସ୍କୋର

ଟି-୨୦ କ୍ରିକେଟ୍ ଇତିହାସରେ ଇତିହାସ ରଚିଛି ଜିମ୍ବାୱେ । ଜାମ୍ବିଆ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ ଜିମ୍ବାୱେ ୨୦ ଓଭରରେ ମାତ୍ର ୪ ୱିକେଟ୍ ହରାଇ ୩୪୪ ରନର ବିଶାଳ ସ୍କୋର କରିଛି । ଯାହା ଟି-୨୦ କ୍ରିକେଟ ଇତିହାସରେ ପୂର୍ବରୁ କେବେ ହୋଇନଥିଲା । ସିକନ୍ଦରଙ୍କ ନେତୃତ୍ବାଧୀନ ଦଳ ବୁଧବାର ଦିନ ବ୍ୟାଟିଂରେ ଦମଦାର ପ୍ରୟାସ କରି ଖେଳର ସବୁଠାରୁ ଛୋଟ ଫର୍ମାଟରେ ସର୍ବାଧିକ ଦଳୀୟ ସ୍କୋରର ରେକର୍ଡ ଭାଙ୍ଗିଦେଇଛି । ନାଇରୋବିର ରୁଆରକା ସ୍ପୋର୍ଟସ କ୍ଲବ ଗ୍ରାଉଣ୍ଡରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଜିମ୍ବାୱେ । ଜିମ୍ବାୱେ ଏବଂ ଜାମ୍ବିଆ ମଧ୍ୟରେ ହୋଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୪୪ ରନ୍ ସଂଗ୍ରହ କରିଥିଲା। ଏହା ପୂର୍ବରୁ, ଟି-୨୦ ଇତିହାସରେ ୩୦୦ରୁ ଅଧିକ ସ୍କୋର କେବଳ ଥରେ ହୋଇଥିଲା । ୨୦୨୩ରେ ମଙ୍ଗୋଲିଆ ବିପକ୍ଷରେ ୨୦ ଓଭରରେ ନେପାଳର ୩୧୪ ରନ୍ କୁ ପଛରେ ପକାଇ ସେମାନେ ୨୦ ଓଭରରେ ମୋଟ ୩୪୪ ରନ୍ ସଂଗ୍ରହ କରିଥିଲେ । ବ୍ରାଏନ୍ ବେନେଟ୍ (୫୦) ଓ ତାଡିୱାନାସେ ମାରୁମାନି (୬୨)ଙ୍କ ଭଳି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାନେ ମ୍ୟାଚ୍ ଆରମ୍ଭ କରିଥିଲେ ।
ଜିମ୍ବାୱେର ଏହି ଅବିଶ୍ୱସନୀୟ ରେକର୍ଡ ପଛରେ ଅଧିନାୟକ ସିକନ୍ଦର ରାଜାଙ୍କ ବିସ୍ଫୋରକ ଶତକୀୟ ପାଳି ସାମିଲ ରହିଛି। କେବଳ ୩୩ ବଲରୁ ଶତକ ହାସଲ କରିଥିବା ରାଜା ମାତ୍ର ୪୩ ବଲରେ ୧୩୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।