ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ କିସ୍ ଶ୍ରୀବାଣୀକ୍ଷେତ୍ର, ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଆୟୋଜନ

ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା ପାଇଁ ବେଶ ଚଳଚଞ୍ଚଳ ହୋଇଉଠିଛି କିସ୍‌ ଶ୍ରୀବାଣୀକ୍ଷେତ୍ର । ମଙ୍ଗଳବାର ଶ୍ରୀଜୀଉମାନଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ନବଯୌବନ ରୂପ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ । ଗୁରୁବାର ରଥଯାତ୍ରା ପାଇଁ ଶ୍ରୀ ଜୀଉଙ୍କ ତିନି ରଥ ପ୍ରସ୍ତୁତ ହୋଇରହିଛି।

ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଶେଷ ପ୍ରସ୍ତୁତି ବୈଠକ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ସହ ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜୀଉଙ୍କ ନୀତି ସମ୍ପନ୍ନ, ଶାନ୍ତି ଶୃଙ୍ଖଳା ସହ ରଥଟଣା ଏବଂ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା କରାଯାଇଥିଲା ।

ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତାକାଲି ଭୋର ୫ ଟାରୁ ଶ୍ରୀଜିଉଙ୍କ ମଙ୍ଗଳ ଆରତି, ମଇଲମ,ରୋଷହୋମ, ଅବକାଶ, ସୂଯ୍ୟର୍ପୂଜା ନୀତି ସଂପନ୍ନ ହେବା ପରେ ସକାଳ ୮ଟା ୩୦ ରେ ଶ୍ରୀ ବିଗ୍ରହ ମାନଙ୍କୁ ଖେଚୁଡି ଭୋଗ ଲାଗି କରାଯିବ । ଏହା ପରେ ପୂର୍ବାହ୍ନ ୯ଟାରେ ରଥ ପ୍ରତିଷ୍ଠା ,ମଙ୍ଗଳାର୍ପଣ ଆଦି ନୀତି ସଂପନ୍ନ ପରେ ପୂର୍ବାହ୍ନ ୧୦ଟା୩୦ ରେ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଶେଷ ହେବ ।

ଦିନ ୩ ଟାରେ ରଥରେ ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୪ଟା୩୦ ରେ ରଥଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଠାକାର ବିଶେଷତ୍ୱ ହେଉଛି ମାଆ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି । ନବଦିନ ବ୍ୟାପୀ ତିନିଠାକୁର ଅସ୍ଥାୟୀ ଗୁଣ୍ଡିଚା ଘରେ ବିଜେ କରିଥାନ୍ତି । ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉମାନଙ୍କ ସମସ୍ତ ପୂଜାପାର୍ବଣ ଓ ରୀତିନୀତି ଅନୁଷ୍ଠିତ ହୋଇଥାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.