ମହୁମାଛିର ଆକ୍ରମଣରେ ଜେଜେର ମୃତ୍ୟୁ, ନାତି ଗୁରୁତର

ଲମତାପୁଟ: ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ ଜେଜେ ନାତି । ହଠାତ୍ ମାଡ଼ି ଆସିଲା ମହୁମାଛି । ମହୁମାଛି ଆକ୍ରମଣରେ ଜେଜେର ମୃତ୍ୟୁ ଘଟିଥିବା ବେଳେ ନାତି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଏଭଳି କିଛି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାରେଙ୍ଗବାଡି ଗାଁରେ ।
ସବୁଦିନ ଭଳି ଜେଜେ ସକୁ ପ୍ରଧାନୀ ଓ ନାତି ତିନୁ ପ୍ରଧାନୀ ମିଶି ସକାଳୁ ସକାଳୁ ନିଜର କିଛି ଛେଳି ଚରେଇବା ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । ହେଲେ ଏହି ଛେଳି ଚରାଇବା ତାଙ୍କ ପାଇଁ କାଳ ହେଲା । ଛେଳି ଚରାଇବା ସମୟରେ ଉଭୟ ଥକି ଯାଇଥିଲେ । କିଛି ସମୟ ଥକା ମେଣ୍ଟାଇବା ପାଇଁ ଜଙ୍ଗଲ ଭିତରେ ଥିବା ଏକ ପଥର ଉପରେ ବସିପଡ଼ିଥିଲେ । ଏହି ସମୟରେ ହଠାତ୍ ପାଖରେ ଥିବା ଗଛରୁ ବହୁତ ମହୁମାଛି ଉଡ଼ି ଆସି ଉଭୟଙ୍କୁ ଆକ୍ରମଣ କରିଥିଲେ ।
ମାଛି ଗୁଡ଼ିକ ଆକ୍ରମଣ କରୁଥିବା ଦେଖି ଜେଜେ ନାତିକୁ ବଞ୍ଚାଇବାକୁ ଯାଇ ନିଜେ ପିନ୍ଧି ଥିବା ସାର୍ଟ କାଢି ନାତିକୁ ପିନ୍ଧେଇ ଦେଇ ଥିଲେ। ନାତି ତିନୁ କୌଶଳ କ୍ରମେ ସେଇଠୁ ଖସି ଆସିଥିବା ବେଳେ ଜେଜେ କିନ୍ତୁ ସେଠି ରହି ଯାଇଥିଲେ । ପରେ ଜେଜେ ନାତି ବହୁତ କଷ୍ଟରେ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ଜେଜେ ଆଖି ବୁଜି ଦେଇଥିଲେ । ପରିବାର ଲୋକେ ତିନୁକୁ ମେଡ଼ିକାଲକୁ ଆଣି ଚିକିତ୍ସା କରିଥିବା ବେଳେ ଏବେ ମଧ୍ୟ ନାତିର ଦେହ ମୁଁହ ପୁରା ଫୁଲି ଯାଇଛି । ଏନେଇ ଚିକିତ୍ସା ଜାରି ରହି ଥିବା ବେଳେ ମୃତକ ଜେଜେ ସୁକୁଙ୍କ ଅନ୍ତିମ ସଂସ୍କାର କରା ଯାଇଛି । ହଠାତ୍ ଏଭଳି ଦୁଃଖଦ ଘଟଣା ଘଟି ଥିବାରୁ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।