ଆଳି: ଚାଷୀଜାଣି ନାହିଁ ହେଲେ ତାଙ୍କ ଜମାଖାତାରୁ ଉଠିଗଲା ୧ଲକ୍ଷ ୫୮ହଜାର ଋଣ ଟଙ୍କା । କେନ୍ଦ୍ରାପଡା ଜିଲ୍ଲା ରାଜକନିକାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ବରୁଣା ପ୍ରାଥମିକ କୃଷି ସମବାୟ ସମିତି ଅଧୀନ ପାତୁଳି ଗାଁର ଚାଷୀ ଧରଣୀଧର ନାୟକଙ୍କ ଜମାଖାତାରୁ ଟଙ୍କା ଉଠାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେ କିଛି ଦିନ ପୂର୍ବେ ବରୁଣା ପ୍ରାଥମିକ କୃଷି ସମବାୟ ସମିତିରୁ ୧ଲକ୍ଷ ୫୯ହଜାର ଟଙ୍କାର ଋଣ କରିଥିଲେ ।
ଏହି ଟଙ୍କା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜକନିକା ଶାଖାରେ ଥିବା ତାଙ୍କ ଜମାଖାତାକୁ ଆସିଥିଲା । ହେଲେ ସେ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଜମାଖାତାରୁ ୧ଲକ୍ଷ ୫୮ହଜାର ଋଣ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ । ଆଉ ଏନେଇ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ତେବେ ଏନେଇ ମ୍ୟାନେଜର ଏବଂ ସେକ୍ରେଟେରୀଙ୍କ ନାଁରେ ଅଭିଯୋଗ କରିଛନ୍ତି ଚାଷୀ ଜଣକ ।
ପରେ ଏନେଇ ବରୁଣା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଓ ବ୍ୟାଙ୍କ ଶାଖା ପରିଚାଳକ ଚଞ୍ଚକତା କରି ଟଙ୍କା ଉଠାଇଥିବା ନେଇ ଚାଷୀ ଧରଣୀଧର ନାୟକ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଜାଣତରେ ଟଙ୍କା ଉଠାଯିବା କଥାକୁ ଶାଖା ପରିଚାଳକ ଖଣ୍ଡନ କରିଥିବା ବେଳେ ପୋଲିସ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
ତେବେ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ବ୍ୟାଙ୍କକୁ ଯାଇ କାଗଜପତ୍ର ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଆଜିକାଲି ଗ୍ରାହକଙ୍କ ଜମାଖାତାରୁ ଟଙ୍କା ହଡ଼ପ ହେବା ତାଲିକା ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହାକୁ ନେଇ ପୋଲିସର କୌଣସି ପତିକ୍ରିୟା ମିଳିପାରିନାହିଁ ।