ଜୁନରେ ରେକର୍ଡ ଭାଙ୍ଗିଲା ତାତି, ଆହୁରି ତିନି ଦିନ ହେବ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ଆହୁରି ତିନି ଦିନ ତାତି ସହ ଗୁଳୁଗୁଳି । ରାଜ୍ୟରେ ଆହୁରି ୩ ଦିନ ଯାଏଁ ଜାରି ରହିବ ଗରମ ସହ ଗୁଳୁଗୁଳି । କଟକ ଓ ବାରିପଦାରେ ଜୁନରେ ରେକର୍ଡ ଭାଙ୍ଗିଛି ରାତି ତାପମାତ୍ରା । ରାତିରେ ୩୪ ଡିଗ୍ରୀ ସେଲସିୟସ ରହୁଛି ରାତି ତାପମାତ୍ରା । ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଡିଗ୍ରୀ ସେଲସିୟସ ରହିଛି ୧୦ ଟି ସହରର ତାପମାତ୍ର । ୪୦ ଡିଗ୍ରୀ ଉପରେ ରହିଛି ୪ ସହରର ତାପମାତ୍ରା । ୪୨. ୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତପ୍ତ ସହର ବାରିପଦା । ଉପକୂଳ ଓଡ଼ିଶାରେ ଆଦ୍ରତାର ପରିମାଣ ୯୦ ପ୍ରତିଶତ ରହୁଛି ।
ଜୁନ ମାସ ଅଧା ସରିଲାଣି, ତଥାପି ମୌସୁମୀର ଦେଖା ମିଳୁନି । ଦକ୍ଷିଣ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଆଗକୁ ବଢିବାର ନାଁ ନେଉନି । ବଙ୍ଗୋପସାଗର ଶାଖା ଦୁର୍ବଳ ରହୁଥିବାରୁ ମୌସୁମୀ ଆଗକୁ ଅଗ୍ରସର ହେଉନାହିଁ । ଯାହାର ପ୍ରଭାବରେ ରାଜ୍ୟକୁ ମୌସୁମୀ ଛୁଇଁଥିଲେ ବି ବର୍ଷା ନାହିଁ। ଆଇଏମଡି ଆକଳନ କରିଥିଲା ୧୭ ରୁ ୧୮ ଦିନ ରହିବ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା । କିନ୍ତୁ ଚଳିତ ବର୍ଷ ରେକର୍ଡ ଭାଙ୍ଗି ୩୪ ଦିନ ହୋଇଛି ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା । ତେବେ ଜୁଲାଇ ଦ୍ବିତୀୟ ସପ୍ତାହରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଜୁନ ମାସରେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୪୨ ପ୍ରତିଶତ କମ ବର୍ଷା ହୋଇଛି।