କୂଅରୁ ଉଦ୍ଧାର ହେଲା ୧୦ ଫୁଟର ଅଜଗର ସାପ, ଜଂଗଲରେ ଛଡା ଗଲା

ଟାଙ୍ଗି : ଖୋରଧା ବନଖଣ୍ଡ  ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଗିରିଣ୍ଡା ସ୍ଥିତ କାଜୁ ଜଂଗଲରେ ଥିବା ପରିତ୍ୟକ୍ତ କୂଅରେ ଗଳି ପଡିଥିଲା ୧୦ଫୁଟ ଲମ୍ବର ଅଜଗର ସାପ ।  ତିନି ଚାରି ଦିନ ହେବ କୂଅ ଭିତରେ ପଡି ରହିଥିଲା ଅଜଗର ସାପ।ସାପଟି କୂଅରୁ ବାହାରିବା ପାଇଁ କରୁଥିଲା ସଂଘର୍ଷ । କାଜୁ ପଡିଆର ଜଗୁଆଳି ସାପକୁ ଦେଖି ବନବିଭାଗ ଅଧିକାରୀଙ୍କୁ ଜଣାଇବା ପରେ ବହୁ ବିଳମ୍ବରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା।

ଖବର ପାଇ ଭୁବନେଶ୍ଵରରୁ ସ୍ନେକ ହେଲ୍ପ ଲାଇନ  ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଓ ତାଙ୍କ ଟିମ୍ ନିଜସ୍ଵ ଉଦ୍ୟମରେ ସ୍ଥାନୀୟ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ଗତକାଲି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ଗତକାଲି ସନ୍ଧ୍ୟା ହୋଇଯିବାରୁ ଜଙ୍ଗଲ ମଧ୍ୟରେ ଥିବା କୂଅରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇପାରି ନଥିଲା ।

ଆଜି ସକାଳୁ ସ୍ନେକ ହେଲପ ଲାଇନ ସଦସ୍ୟ, ବନବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଉଦ୍ଧାର ହୋଇଛି  । ସ୍ନେକ ହେଲପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ସାପକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ସାପର ପ୍ରାଥମିକ ଚିକିତ୍ସା ପରେ ତାକୁ ଜଂଗଲରେ ଛଡା ଯିବ ବୋଲି ଜଣାପଡିଛି।