ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ମୋହନା : ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଉଲିଆପଦା ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଖମ୍ବେଶ୍ୱରୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବସ୍ ଟି ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଜଣାପଡିଛି ।
ତେବେ ସାମାନ୍ୟ ଭାବେ ଗାଡିଟି ଦୁର୍ଘଟଣା ହୋଇଥିବା ଯୋଗୁଁ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀମାନେ । ତେବେ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାଙ୍କର ଚିକିତ୍ସା ପରେ ଛାଡିଦିଆଯାଇଛି । ଏପଟେ ଅଡବା ପୋଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।