କେନ୍ଦ୍ରାପଡ଼ା : ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀମାନଙ୍କୁ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଖବର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୭ଟା ୩୦ ସମୟରେ ନୀଳମାଧବ ନାମକ ଏକ ଯାତ୍ରୀବାହୀ ବସଟି ପାରାଦୀପରୁ ଚଣ୍ଡିଖୋଲ ଯାଉଥିଲା । ହଜାରୀ ଛକ ନିକଟରେ ଏକ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ବସ୍ । ଯାହାଫଳରେ ଗାଡିରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣା ପରେ ଆହତ ମାନଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ବସ୍ ଓ ତେଲ ଟ୍ୟାଙ୍କରକୁ ଜବତ କରି ଘଟଣାର ତଦନ୍ତ କରୁଛି ।