କାଳିଆ ଯୋଜନା : ସାମିଲ ହେବେ ଆଉ ୧୦ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ

କାଳିଆ ଯୋଜନାରୁ ଜଣେ ବି କେହି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ପରେ କାଳିଆ ହିତାଧିକାରୀଙ୍କ ସଂଖ୍ୟା ଆଉ ୧୦ ଲକ୍ଷ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ହିତାଧିକାରୀଙ୍କ ସଂଖ୍ୟା ୪୫ ଲକ୍ଷକୁ ବୃଦ୍ଧି ପାଇବ । ସରକାରଙ୍କ ଏ ନିଷ୍ପତ୍ତି ପଛରେ ଭୋଟ ରାଜନୀତି ଗନ୍ଧ ବାରିଛନ୍ତି ବିରୋଧୀ।

ବଢ଼ିଲା କାଳିଆ ଯୋଜନାର କଳେବର । ସାମିଲ ହେବେ ଅଧିକ ୧୦ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ, ଭାଗଚାଷୀ, ଭୂମିହୀନ କୃଷି ଶ୍ରମିକ । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ କାଳିଆ ହିତାଧିକାରୀଙ୍କ ସଂଖ୍ୟା ୪୫ ଲକ୍ଷକୁ ବୃଦ୍ଧି ହେବ । ଏଭିତରେ ୩୨ ଲକ୍ଷ ୪୦ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ସରକାର । ଏହା ସହ କାଳିଆ ସହାୟତା ରାଶି ଖରିଫ ପାଇଁ ଏପ୍ରିଲ ପହିଲା ଏବଂ ରବି ପାଇଁ ସେପ୍ଟେମ୍ବର ପହିଲା ପରେ ମିଳିବ ବୋଲି ଘୋଷଣା କରାଯାଇଛି । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି କାଳିଆ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ।

କାଳିଆ ଯୋଜନାର କଳେବର ବୃଦ୍ଧି ପଛରେ ରାଜନୀତି ଗନ୍ଧ ବାରିଛି ବିରୋଧୀ କଂଗ୍ରେସ । ସେହିପରି ବିଜେପି କହିଛି, କାଳିଆ ଯୋଜନାରେ ସହାୟତା ଦେବାରେ ଚାଷୀଙ୍କୁ ଆପତ୍ତି ନାହିଁ। କିନ୍ତୁ ପିଏମ୍ କିଷାନ ଯୋଜନାରେ କାହିଁକି ସରକାର ତାଲିକା ଦେବାରେ ପଛଘୁଂଚା ଦେଉଛନ୍ତି କାହିଁକି? ସରକାରୀ ତଥ୍ୟ ଅନୁସାରେ କାଳିଆ ଯୋଜନାରେ ସାମିଲ ପାଇଁ ୬୦ ଲକ୍ଷରୁ ଅଧିକ ଆବେଦନ କରିଛନ୍ତି । ଏହି ଯୋଜନା ପାଇଁ ବଜେଟରେ ୪୪୬୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.