୧୦ ଲକ୍ଷ ଟଙ୍କାରେ ହେଇଛି ଉନ୍ନତିକରଣ କାମ, ହେଲେ ବିଦ୍ୟାଳୟ କାନ୍ଥ ଫାଟି ଆଁ କରିଛି
ଭଙ୍ଗା ଆଉ ଫଟା କାନ୍ଥ ଉପରେ ବୋଳାଯାଇଛି ରଙ୍ଗ । ରଙ୍ଗର ମାନ ପୁଣି ଏପରି ଯେ ତାହା ଲଗାଯିବାର କିଛି ଦିନ ମଧ୍ୟରେ ହିଁ ଛାଡ଼ିଗଲାଣି । ଏବେ ଦେଖନ୍ତୁ ଟାଇଲ କଥା । ତାହାର ମାନ ଏପରି ଯେ ହାତ ମାରୁ ମାରୁ ଛାଡ଼ି ଯାଉଛି । ଏ ହେଉଛି ଗୃହକୁ ପ୍ରବେଶ କରିବା ସମୟରେ ହାତ ଧରି ଭିତରକୁ ଉଠିବାର ରେଲିଙ୍ଗ ତାହା ମଧ୍ୟ ହାତରେ ଧରିଲେ ହଲିବାରେ ଲାଗିଛି । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅଳଗୁମ ପଞ୍ଚାୟତର ସରକାରୀ ମଧ୍ୟ ଇଂରାଜି ବିଦ୍ୟାଳୟର ।
୧୯୦୧ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବା ପାଇଁ ଏହାର ମରାମତି କାର୍ଯ୍ୟ ଏଭଳି ନିମ୍ନମାନର ହୋଇଥିବା ନେଇ ଅଭିଭାବକ କିମିଟି ସଭାପତି ଏବଂ ନାଏବ ସରପଞ୍ଚ ତଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସତ୍ୟବାଦୀ ବ୍ଲକ ପ୍ରଶାସନ ସହାୟତାରେ ଦଶ ଲକ୍ଷ ଟଙ୍କାରେ ବିଦ୍ୟାଳୟର ଉନ୍ନତି କରଣ ପାଇଁ କାର୍ଯ୍ୟ କରାଯାଇଛି । ଯେଉଁଥିରେ ରହିିଛି ବିଦ୍ୟାଳୟର ବିପଦପୂର୍ଣ୍ଣ ସ୍ଥାନର ମରାମତି ଶ୍ରେଣୀ ଗୃହ ଏବଂ ବାରଣ୍ଡାରେ ଟାଇଲସ୍ କାମ ଏବଂ ବିଦ୍ୟାଳୟକୁ ପ୍ରବେଶ କରିବା ପାଇଁ ରହିଥିବା ପଥର କଂକ୍ରିଟ ରାସ୍ତା ।
ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ସତ୍ୟବାଦୀ ବିଡ଼ିଓ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ବିଦ୍ୟାଳୟ ପରିଦର୍ଶନ କରିବା ପରେ ଗ୍ରାମବାସୀଙ୍କ ଅଭିଯୋଗରେ ସତ୍ୟତା ରହିଥିବା କଥାକୁ ସ୍ଵୀକାର କରିବା ସହିତ ରଙ୍ଗ କାମ ସାଙ୍ଗକୁ ଟାଇଲ କାମ ନିମ୍ନମାନର କରାଯାଇଥିବା କଂକ୍ରିଟ ରୋଡ଼ର ଥିକ୍ନେସ ମଧ୍ୟ ସଠିକ୍ ହୋଇ ନଥିବାର କହିଛନ୍ତି । ସେପଟେ ବିଡ଼ିଓ କହିଛନ୍ତି ଏହି ଘଟଣା ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ପ୍ରସ୍ତୁତ ହେଉଛି ଅନେକ ଯୋଜନା ।
ସରକାରୀ ଅର୍ଥ ଛାତ୍ରଛାତ୍ରୀମାନଙ୍କ ପାଇଁ ଖର୍ଚ୍ଚ କରାଯାଉଥିବାବେଳେ ଏହାର କାର୍ଯ୍ୟ ଶୈଳୀକୁ ଦେଖିଲେ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଏହା କିଭଳି କାର୍ଯ୍ୟକାରିତା ହେଉଛି । ଏହା ନିମ୍ନମାନର କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ଗ୍ରାମବାସୀ । ତେବେ ଯଦି ବିଦ୍ୟାଳୟର ଭିତ୍ତିଭୂମି ସାଙ୍ଗକୁ ଉଚ୍ଚମାନର ଶିକ୍ଷାଦାନ ସଠିକ୍ ଭାବରେ ହୁଏ ତେବେ କୋମଳମତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ ସଠିକ୍ ଭାବରେ ହେବ ।