ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର, ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ନୂଆପଡା : ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର । ଆଜି ସକାଳୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି । ସେମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ଏଥିସହ ଅନ୍ୟ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ।
ସୂଚନା ଅନୁସାରେ ଗ୍ରାମର ବନ୍ଧ ପଡ଼ାରେ ରହୁଥିବା ବୈଷ୍ଣବ ମାଝୀ ଗତକାଲି ନିଜ ବିଲରୁ କିଛି ଛତୁ ଆଣିଥିଲେ। ତାଙ୍କ ସ୍ତ୍ରୀ ନେପୁର ମାଝୀ ତାକୁ ରାନ୍ଧି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ । ଛତୁ ତରକାରୀ ଖାଇଲା ପରେ ସମସ୍ତଙ୍କୁ ଝାଡ଼ା ବାନ୍ତି ହୋଇଥିଲା । ପରେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ସବ ଡିଭିଜନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଛଅ ଜଣଙ୍କ ଅବସ୍ଥା ସ୍ଵାଭାବିକ ହେବାରୁ ଛାଡି ଦିଆ ଯାଇଥିଲା । ମାତ୍ର ଚାରି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯାଇଛି ।