ଲାଞ୍ଚ ନଦେଲେ ଗଡୁନି ୧୦୮ ଆମ୍ବୁଲାନ୍ସ, ଦେଖନ୍ତୁ କିପରି ଖେଲାଖୋଲି ଲାଞ୍ଚ କାରବାର ହେଉଛି ଆମ୍ବୁଲାନ୍ସ ଭିତରେ

ବାଲେଶ୍ବର(କେନ୍ୟୁଜ୍): କେଉଁଠି ରୋଗୀକୁ ୧୦୮ ଆମ୍ବୁଲାନ୍ସ ସଠିକ ସମୟରେ ସେବା ଯୋଗାଇନପାରିବାରୁ ରୋଗୀର ମୃତ୍ୟୁ ହୋଇଯାଉଛି ତ କେଉଁଠି ୧୦୮ର ତେଲ ସରିଯିବାରୁ ଅକାଳରେ ଚାଲିଯାଉଛି ରୋଗୀର ଜୀବନ। ବାରମ୍ବାର ଏପରି ଘଟଣା ସରକାରଙ୍କର ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ ଏବେ ପୁଣି ସମ୍ନାକୁ ଆସିଛି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀର ପରିବାର ଲୋକଙ୍କୁ ଟଙ୍କା ମାଗିବାର ଦୃଶ୍ୟ। ଏହି ଦୃଶ୍ୟଟି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟର ଭୋଗରାଇ ଅଞ୍ଚଳର ବୋଲି ଜଣା ପଡିଛି । ଜଣେ ରୋଗୀଙ୍କୁ ଡାକ୍ତର କଟକକୁ ରେଫର କରିଥିଲେ। କିନ୍ତୁ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କ କଟକ ପହଞ୍ଚାଇବା ପାଇଁ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ମାଗିଥିଲେ। ପ୍ରଥମେ ଡ୍ରାଇଭର ଜଣକ ୬୦୦ ଟଙ୍କା ମାଗିଥିଲେ ତାପରେ ରୋଗୀଙ୍କ ସମ୍ପର୍କୀୟ ୫୦୦ ଟଙ୍କା ଦେବେ ବୋଲି ରାଜି ହେବାରୁ ଆମ୍ବୁଲାନ୍ସର ଡ୍ରାଇଭର ୬୦୦ ଟଙ୍କାରୁ କମ ହେଲେ ଗାଡି ଗଡିବ ନାହିଁ ବୋଲି ରୋକଠକ ମନା କରିଦେଇଥିଲେ । ତେଣୁ ରୋଗୀର ସମ୍ପର୍କୀୟ ଜଣକ ବାଧ୍ୟ ହୋଇ ୬୦୦ ଟଙ୍କା ଦେଇଥିଲେ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।