ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ମେ ୩ରୁ ହେବ ମାଟ୍ରିକ ଓ ମେ ୧୫ରୁ ହେବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ): ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଜାନୁଆରୀ ୮ତାରିଖରୁ ସ୍କୁଲ ଖୋଲିବାକୁ ଥିବା ବେଳେ ଏଥିପାଇଁ ଜାରି ହୋଇଛି ଗାଇଡଲାଇନ । ଏଥିରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲଗୁଡ଼ିକ ଖୋଲିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ମିିଳିବନି ଅନୁମତି। ସ୍କୁଲରେ ଆସବାବପତ୍ର, ଲାଇବ୍ରେରୀ, ଲାବୋରେଟୋରୀ, ପାଣିଟାଙ୍କି ସହ ସ୍କୁଲ ପରିସରକୁ ବାରମ୍ବାର ସାନିଟାଇଜ କରାଯିବ। ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଯଥେଷ୍ଟ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱଚ୍ଛ ଶୌଚାଳୟକୁ ପ୍ରାଥମିକତା ଦିଆଯିବ। ବର୍ତ୍ତମାନ ହଷ୍ଟେଲ ଖୋଲିବ ନାହିଁ।

ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଆଣିବା ଓ ନେବା ଉପରେ ଗୁରୁତ୍ୱ ଦିଆଯିବ। ପୂର୍ବରୁ ଗୁରୁତର ଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅଧିକ ଧ୍ୟାନ ଦିଆଯିବ। ସ୍କୁଲ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। ଅଭିଭାବକଙ୍କ ସହମତିରେ ପିଲାମାନେ ସ୍କୁଲ ଆସିବେ। ସ୍କୁଲ ପରିସରରକୁ ପ୍ରବେଶ ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ଧାଡ଼ିରେ ରହିବା ବାଧ୍ୟତାମୂଳକ। ପିଲାମାନଙ୍କ ମଧ୍ୟରେ ୬ ଫୁଟ ଦୂରତା ରଖିବାକୁ ସ୍ଥାନ ନିରୂପଣ ହେବ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ପରସ୍ପର ଠାରୁ ଯଥେଷ୍ଟ ଦୂରତା ରକ୍ଷା କରିବେ। ସୁରକ୍ଷା ଓ ନିରାପତ୍ତା ପାଇଁ ଆବଶ୍ୟକ ସ୍ଥଳେ ଅସ୍ଥାୟୀ ଜାଗାରେ ପାଠପଢା ହେବ। ୱାସରୁମ ଓ ଟଏଲେଟରେ ଯଥେଷ୍ଟ ପରିମାଣର ପାଣି ଓ ସାବୁନ ମହଜୁଦ ରଖାଯିବ।

ଛାତ୍ରଛାତ୍ରୀଙ୍କୁ ବାରମ୍ବାର ହାତ ଧୋଇବାକୁ ପ୍ରୋତ୍ସାହିତ କରାଯିବ। ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍କୁଲ କର୍ମଚାରୀ ସମସ୍ତଙ୍କୁ ପରିଚ୍ଛନ୍ନତା ଓ ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ସ୍କୁଲ ବୋର୍ଡରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମସ୍ତ ଜରୁରୀ ନମ୍ବର ଉଲ୍ଲେଖ କରାଯିବ। ସ୍କୁଲରେ ସ୍ୱତନ୍ତ୍ର ଆଇସୋଲେସନ ରୁମ ପ୍ରସ୍ତୁତ ରଖାଯିବ। ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ବୈଠକରେ ସ୍କୁଲ ଖୋଲିବା ନେଇ ବିସ୍ତୃତ ଭାବେ ଆଲୋଚନା ହେବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.