କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦଘାଟିତ । ଏଥିରେ ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ସୋହା ଅଲ୍ଲୀ ଖାଁ, ଲେଖିକା ପ୍ରୀତି ସେନୋୟ, କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଚେୟାରପର୍ସନ ଡକ୍ଟର ମୋନାଲିସା ବଳ, ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ସୁଆର ଯୋଗଦେଇଥିଲେ । ଭର୍ଚୁଆଲରେ ବିଶିଷ୍ଟ ଶିଶୁ ସାହିତ୍ୟିକ ରସ୍କିନ୍ ବଣ୍ଡ ଓ ଅଭିନେତା ବିକ୍ରାନ୍ତ ମାସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପଦ୍ମଶ୍ରୀ ରସ୍କିନ୍ ବଣ୍ଡ ନିଜ ବାର୍ତ୍ତାରେ ପୁସ୍ତକ ପାଠ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ କେବଳ ବହି ହିଁ ଛାତ୍ରଛାତ୍ରୀଙ୍କ ସାରା ଜୀବନ ବନ୍ଧୁ ହୋଇ ରହିବ । ପୁସ୍ତକ ପଠନ ପ୍ରତି ଶିଶୁମାନଙ୍କ ଆଗ୍ରହ ବଢ଼ାଇବା ଦିଗରେ ଏଭଳି ସାହିତ୍ୟ ମହୋତ୍ସବ ବେଶ ଗୁରୁତ୍ୱ ରହିଛି ।
ଏଭଳି ଶିଶୁ ସାହିତ୍ୟ ମହୋତ୍ସବରେ ପ୍ରଥମ ଥର ଲାଗି ଯୋଗଦେଇଥିବା ସୋହା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଶିଶୁମାନେ ଦେଶର ଭବିଷ୍ୟତ । ସେମାନେ ଏବେ ପାଠ ପଢ଼ା ପ୍ରତି ଧ୍ୟାନ ଦେବା ଉଚିତ । କିନ୍ତୁ ଦେଖାଯାଉଛି ଅଧିକାଂଶ ପିଲା ଏବେ ଅଧିକ ସମୟ ମୋବାଇଲ୍ ଦେଖିବାରେ ବ୍ୟସ୍ତ ରହୁଛନ୍ତି । ସେମାନେ ଦିନକୁ ୧୫ ମିନିଟ୍ ଯେ କୌଣସି ପୁସ୍ତକ ପାଠ କଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ । ଏହା ଦ୍ୱାରା ସେମାନଙ୍କ ନିଜର ବିକାଶ ହେବା ସହ ଦେଶର ବିକାଶ ହେବ ବୋଲି ସୋହା କହିଥିଲେ । ଅନ୍ୟତମ ଅତିଥି ତଥା ଲେଖିକା ପ୍ରୀତି କହିଥିଲେ, ପିଲାମାନେ ଯେତେ ଅଧିକରୁ ଅଧିକ ବହି ପଢ଼ିବ ତୁମର ଜ୍ଞାନ ସେତେ ଅଧିକ ବଢ଼ିବ ।
ତେଣୁ ପୁସ୍ତକ ପଠନ ତୁମମାନଙ୍କୁ ପ୍ରକୃତ ମନୋରଞ୍ଜନ ଓ ଜ୍ଞାନ ଦେଇପାରିବ ବୋଲି ସେ କହିଥିଲେ । କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛୋଟ ପିଲାଙ୍କ ପାଇଁ ଏଭଳି ସାହିତ୍ୟ ମହୋତ୍ସବ ଆୟୋଜନ କରିଥିବାରୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ ଅଭିନେତା ବିକ୍ରାନ୍ତ । ସ୍କୁଲ୍ର ଇଣ୍ଟରନ୍ୟାସ୍ନାଲ୍ କରିକୁଲମ ମୁଖ୍ୟ ମାର୍କ ଏଲ୍ କୋଲେମନ କହିଥିଲେ ଶିକ୍ଷା ଏକ ଯାତ୍ରା ଏବଂ ଏହା ଏକ ଲକ୍ଷ୍ୟ ନୁହେଁ । ପୁସ୍ତକ ପଠନ ଆମ ଜୀବନର ଏକ ଅଂଶ ହେବା ଉଚିତ । କାର୍ଯ୍ୟକ୍ରମକୁ କିଟ୍ ଓ କିସ୍ ସଭାପତି ଶାଶ୍ଵତୀ ବଳ ଉଦ୍ଘାଟନ କରିଥିବା ବେଳେ ସ୍କୁଲ୍ର ଚେୟାରପର୍ସନ ଡକ୍ଟର ମୋନାଲିସା ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ସ୍କୁଲ୍ର ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଇଂରାଜୀ ପତ୍ରିକା କ୍ଲାଉଡ୍-୯ର ଉନ୍ମୋଚନ ହୋଇଥିଲା । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ ଆଲୋଚନା, ଗଳ୍ପ କଥନ, ପ୍ରତିଭା କର୍ମଶାଳା ଆଦି ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ୱର ବହୁ ବିଦ୍ୟାଳୟର ୧ହଜାର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।