ନିରାଡ଼ମ୍ବରରେ ପାଳିତ ହେଲା କଳିଙ୍ଗ ଟିଭିର ଦଶମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ନିରପେକ୍ଷ ଗଣମାଧ୍ୟମ ଭାବେ ଜଣାଶୁଣା କଳିଙ୍ଗ ଟିଭି ଆଜି ତାର ଦଶମ ପ୍ରତିଷ୍ଠା ଦିବସ ପାଳନ କରିଛି । କିଟ୍ ପରିସରରେ ଅନୁଷ୍ଠିତ ଏକ ନିରାଡ଼ମ୍ବର ଉତ୍ସବରେ କଳିଙ୍ଗ ଟିଭି ପରିବାରର ସମସ୍ତ ସଦସ୍ୟ ଏବଂ ଅନ୍ତରଙ୍ଗ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ ।
କିଟ୍, କିସ୍ ତଥା କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଉଚିତ ଏବଂ ତାଙ୍କର ପରାମର୍ଶକୁ କଳିଙ୍ଗ ଟିଭି ପାଳନ କରୁଛି ବୋଲି ଖୁସି ବ୍ୟକ୍ତ କରିଥିଲେ । ଉପଦେଷ୍ଟା ଉମାପଦ ବୋଷ ଏବଂ ଅନ୍ୟ ଶୁଭେଚ୍ଛୁମାନେ କଳିଙ୍ଗ ଟିଭି ପରିବାରକୁ ଅଭିନ୍ଦନ ଜଣାଇବା ସହ ବହୁମୂଲ୍ୟ ପରାମର୍ଶ ଦେଇଥିଲେ ।
କଳିଙ୍ଗ ଟିଭି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଉଦବୋଧନ ଦେଇ କଳିଙ୍ଗ ଟିଭିକୁ କିଭଳି ଆହୁରି ଆଗକୁ ନେଇ ହେବ, ଏହାର ଲୋକାଦୃତି ବଢ଼ାଇ ହେବ ସେ ସମ୍ପର୍କରେ କହିଥିଲେ । ମୁଖ୍ୟ ସମ୍ପାଦକ ସୌମ୍ୟଜିତ୍ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଗଣମାଧ୍ୟମରେ ପ୍ରତି ମୁହୂର୍ତ୍ତରେ ଚ୍ୟାଲେଞ୍ଜ ରହିଥାଏ ବୋଲି କହିଥିଲେ । ଏହି ଅବସରରେ ବରିଷ୍ଠ ରିପୋର୍ଟରମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଡେପୁଟି ଚିଫ୍ ଏଡିଟର ହିମାଂଶୁ ପତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କଳିଙ୍ଗ ଟିଭି ପରିବାର ସହ ସର୍ବଦା ଯୋଡ଼ି ହୋଇ ରହିଥିବା କିଟ୍, କିସ୍ ଏବଂ କାଦମ୍ବିନୀର କର୍ମକର୍ତ୍ତା ଯୋଗ ଦେଇଥିଲେ ।