ବିପଜ୍ଜନକ ଅବସ୍ଥାରେ ରାସ୍ତାରେ ଝୁଲି ରହିଛି ୧୧ କେଭିର ବିଦ୍ୟୁତ ତାର, ଠିକ୍‌ କରିବା ପାଇଁ ସାଧାରଣରେ ଦାବି

ସୁବର୍ଣ୍ଣପୁର: ମୁଖ୍ୟ ରାସ୍ତା ଉପରେ ବିପଜ୍ଜନକ ଅବସ୍ଥାରେ ଝୁଲି ରହିଛି ୧୧ କେଭିର ବିଦ୍ୟୁତ ତାର । ଗାଡି ମୋଟର ତ ଦୂରର କଥା ଚାଲି ଚାଲି ଯାଉଥିବା ଲୋକ ବି ସାବାଧାନତାର ସହ ନଗଲେ ଦେହରେ ଲାଗିଯିବ ଏହି ବିଦ୍ୟୁତ ତାର । ଉକ୍ତ ରାସ୍ତାଦେଇ ଯାଉଥିବା ଲୋକ କୌଣସି ବି ମୁହୂର୍ତ୍ତରେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମୃତ୍ୟୁ ମୁଖରେ ପଡିପାରନ୍ତି ।

ନୂଆ କରି ତିଆରି ହେଉଛି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା । ଅନ୍ୟପଟେ ହାଇ ଲେଭଲ ବ୍ରିଜ ବି ନିର୍ମାଣ ସରିଛି । ହେଲେ ଯେମିତିକୁ ସେମିତି ରହିଛି ୧୧ କେଭିର ବିଦ୍ୟୁତ ଖୁଣ୍ଟ ଓ ତାର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ-କେଂଝିରିଆପାଲିକୁ ସଂଯୋଗ କରୁଥିବା ରାସ୍ତାରେ ବିଦ୍ୟୁତ୍‌ ତାର ଝୁଲି ରହିଥିବା ସୂଚନା ମିଳିଛି । ଏହି ବିପଦଜ୍ଜନକ ବିଦ୍ୟୁତ ତାରକୁ ଠିକ୍‌ କରିବାକୁ ବାରମ୍ୱାର ବିଦ୍ୟୁତ ବିଭାଗ ପାଖରେ ଜଣାଇଥିଲେ ବି ଏ ଯାଏଁ ପଦକ୍ଷେପ ନିଆଯାଇନାହିଁ । ଫଳରେ ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଯିବା ଆାସିବା ବନ୍ଦ କରାଯାଇଛି । ତୁରନ୍ତ ଏହି ବିପଦଜ୍ଜନକ ବିଦ୍ୟୁତ ତାରକୁ ସଜାଡିବାକୁ ସାଧାରଣରେ ଦାବି ହେଉଛି ।