ରାତିଅଧିଆ ଚେକିଂ : ୧୧୮ ଗାଡ଼ିକୁ ସିଜ କଲା ପୋଲିସ, ୧୫ ଜଣଙ୍କ ନାମରେ ମାମଲା

ଭୁବନେଶ୍ୱର : ମଦ୍ୟପାନ ସହ ଟ୍ରାଫିକ ନିୟମ ଭାଙ୍ଗିକରି ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ଗତକାଲି ରାତିରେ ଭୁବନେଶ୍ୱରର ବିଭିନ୍ନ ଥାନା ଅଧୀନରେ ଥିବା ଛକରେ ଚେକିଂ କରି ପ୍ରାୟ ୧୧୮ଟି ଗାଡ଼ି ଜବତ କରିଛି ପୋଲିସ । ଏଥି ମଧ୍ୟରେ ମର୍ସିଡିଜ, ହୋଣ୍ଡା ସିଟି, ସ୍କର୍ପିଓ ଭଳି ବହୁ ନାମୀଦାମୀ ଗାଡ଼ି ସହ ବାଇକ ରହିଥିବା ଜଣାଯାଇଛି । ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ପ୍ରାୟ ୧୫ ଜଣଙ୍କ ନାମରେ ମାମଲା ଦାୟର କରାଯାଇଛି । ପୋଲିସ କମିଶନର ସଂଜୀବ ପଣ୍ଡା ଓ ଡେପୁଟି କମିଶନର ପ୍ରତୀକ ସିଂହଙ୍କ ତଦାରଖରେ ଏହି ରାତି ଅଧିଆ ଚେକିଂ ଚାଲିଥିଲା । ସର୍ବସାଧାରଙ୍କ ଧନ-ଜୀବନ ସର୍ବାଗ୍ରେ ଥିବାରୁ ବିନା ମଦ୍ୟପାନରେ ଟ୍ରାଫିକ ନିୟମ ଅନଯାୟୀ ଗାଡି ଚଳାଇବାକୁ ଲୋକଙ୍କୁ ଅପିଲ କରିଛନ୍ତି କମିଶନର ସଂଜୀବ ପଣ୍ଡା ।