ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ, ରାଜ୍ୟର ୧୦୬ଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ଆରମ୍ଭ
୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏନେଇ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ ।
ଭୁବନେଶ୍ୱର (କେନ୍ୟୁଜ): ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏନେଇ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ବିଦ୍ୟାଳୟଗୁଡ଼ିକରେ ଦୁଇ ଗୋଟି ଲେଖାଏଁ ସେକ୍ସନ ଖୋଲିବା ପାଇଁ ସ୍ଥିର ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ ।
ଏହାଦ୍ୱାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩୪୬୮ ସିଟ ନାମ ଲେଖାପାଇଁ ବୃଦ୍ଧି ପାଇବ । ସମ୍ପ୍ରତି ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିଯୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି ।
ଅନୁଗୁଳ ଜିଲ୍ଲାରେ ଗୋଟିଏ ସ୍କୁଲ ରହିଥିବା ବେଳେ ବାଲେଶ୍ବରରେ ମଧ୍ୟ ଗୋଟିଏ ସ୍କୁଲ ରହିଛି । ସେହିଭଳି ବରଗଡ଼ ଜିଲ୍ଲାରେ ୨ଟି, ଭଦ୍ରକରେ ଗୋଟିଏ, ବଲାଙ୍ଗୀରରେ ୮ ଟି, ଦେଓଗଡ଼ରେ ୪ଟି, ବୌଦ୍ଧରେ ୨ଟି, କଟକରେ ୨ଟି, ଢ଼େଙ୍କାନାଳରେ ଗୋଟିଏ , ଗଜପତିରେ ୨ଟି, ଗଞ୍ଜାମରେ ୯ଟି, ଜଗତସିଂହପୁରରେ ୨ଟି, ଯାଜପୁରରେ ଗୋଟିଏ, ଝାରସୁଗୁଡ଼ାରେ ଗୋଟିଏ, କଳାହାଣ୍ଡିରେ ୮ ଟି, କନ୍ଧମାଳରେ ୪ଟି ବିଦ୍ୟାଳୟରେ କଳାବିଭାଗ ରହିବ ।
ବିଭିନ୍ନ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡିକର ତାଲିକା: pic.twitter.com/OOaUb2YSip
— I & PR Department, Odisha (@IPR_Odisha) May 22, 2023
ସେହିପରି କେନ୍ଦ୍ରାପଡ଼ାରେ ୨ଟି, କେନ୍ଦୁଝରରେ 6ଟି, ଖୋର୍ଦ୍ଧାରେ ଗୋଟିଏ , କୋରାପୁଟରେ ୪ଟି , ମାଲକାନଗିରିରେ ୬ଟି, ମୟୂରଭଞ୍ଜରେ ୨ଟି, ନବରଙ୍ଗପୁରରେ ୭ ଟି, ନୟାଗଡ଼ରେ ଗୋଟିଏ, ନୂଆପଡ଼ାରେ ୬ଟି, ପୁରୀରେ ଗୋଟିଏ, ରାୟଗଡ଼ାରେ ୪ଟି, ସୋନପୁରରେ ଗୋଟିଏ , ସମ୍ବଲପୁରରେ ୪ଟି ଏବଂ ସୁନ୍ଦରଗଡରେ ୬ଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ନାମଲେଖା ।
ଅନ୍ୟପଟେ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ରାୟଗଡ଼ା କୋରାପୁଟ, ଗଜପତି ଏବଂ ମାଲକାନଗିରିରେ ଗୋଟିଏ ଲେଖାଏଁ ସ୍କୁଲ, ନବରଙ୍ଗପୁରରେ ଦୁଇଟି ସ୍କୁଲରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ ଦିଆଯିବ ।
ଚଳିତ ମାସ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟରେ ଚଳିତବର୍ଷ ଠାରୁ ଅନଲାଇନରେ ସ୍ପଟ୍ ଆଡମିଶନ୍ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି। ଯୁକ୍ତ ଦୁଇ, ଆଇଟିଆଇ ଏବଂ ଡିପ୍ଲୋମାରେ ଅନଲାଇନ ମାଧ୍ୟମରେ ସ୍ପଟ ଆଡମିଶନ୍ ହେବ। ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ସିଟ୍ ପାଇବେ ଏବଂ ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ SMS କରାଯିବ। ସ୍ପଟ୍ ଆଡମିଶନରେ କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍ସ ପକ୍ଷରୁ ଏହି ବ୍ୟବସ୍ଥା କରାଯିବ।