ଝିଅ ହେଲେ ମିଳିବ ୧୨ ହଜାର ଟଙ୍କା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ରାଜ୍ୟରେ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତିଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ ।
ତେବେ ପିଭିଟିଜି ମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ । ଏଥିରେ ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଏହି ଯୋଜନାର କାର୍ଯ୍ଯକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ କେନ୍ଦ୍ର ସରକାର ୧୧୫କୋଟି ୯୭ ଲକ୍ଷ ଟଙ୍କା ପ୍ରଦାନ କରିବେ। ରାଜ୍ୟ ସରକାର ୩୯୫କୋଟି ୭୫ ଲକ୍ଷ ଟଙ୍କା ଯୋଗାଇ ଦେବେ । ଏହା ମାଧ୍ୟମରେ ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବେ ।