ଛେଳିକୁ ଗିଳି ଦେଲା ୧୨ ଫୁଟିଆ ଅଜଗର, ବହୁ ନାକେଦମ ପରେ ସାପକୁ ଧରିଲା ବନ ବିଭାଗ

ଦଶପଲ୍ଲା : ଛେଳିକୁ ଗିଳି ଦେଲା ୧୨ ଫୁଟିଆ ଅଜଗର ସାପ । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଟାକରା ସେକ୍ସନର ମିଟୁକୁଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଛେଳିକୁ ଅଜଗର ସାପ ଗିଳି ଦେଇଥିବା ଦେଖିବାକୁ ମିଳିଛି। ବହୁ ସମୟ ନାକେଦମ ପରେ ସାପକୁ ଧରିଲେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ।
ସୂଚନା ଅନୁଯାୟୀ ଛେଳି ଚରାଳୀ ମାନେ ଛେଳି ଚରାଉଥିବା ସମୟରେ ଏହି ଦୃଶ୍ୟକୁ ଦେଖିବାକୁ ପାଇଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହାୟତାରେ ଦୀର୍ଘ ସମୟ ଧରି ସାପ ସହିତ ଚୋର ପୋଲିସ ଖେଳିବା ପରେ ଶେଷରେ ସାପକୁ ଧରିବାରେ ସକ୍ଷମ ହୋଇଥିଲେ । ସେତେବେଳେକୁ ଛେଳିଟିକୁ ସାପ ଅଧା ଗିଳି ସାରିଥିଲା । ଉଦ୍ଧାର କରିବା ବେଳକୁ ଛେଳିଟିର ମୃତ୍ୟୁ ହୋଇଯାଇଥିଲା । ତେବେ ସାପଟିର ଲମ୍ବ ପ୍ରାୟ ୧୨ ଫୁଟ ହୋଇଥିବା ଜଣାପଡ଼ିଥିବା ବେଳେ ଉଦ୍ଧାର କରିବା ପରେ ବାଇଶିପଲ୍ଲୀ ଅଭୟାରଣ୍ୟରେ ଛଡା ଯାଇଥିବା ଜଣାପଡ଼ିଛି ।