ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ, ଡାକରା ଦେଇଛି ବଣିକ ସଂଘ

ବରଗଡ଼ (କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସୋମବାର ଆୟକର ବିଭାଗ ଓ ଜିଏସ୍‌ଟିର ଚଢ଼ଉକୁ ବିରୋଧ କରି ବଣିକ ସଂଘ ଆସନ୍ତା କାଲି ବନ୍ଦ ଡାକରା ଦେଇଛି। ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ପଦ୍ମପୁର ସହରର ସମସ୍ତ ଦୋକାନ ଓ ବଜାର ବନ୍ଦ ରହିବ। କିନ୍ତୁ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ବୋଲି କୁହାଯାଇଛି । ପଦ୍ମପୁର ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟବସାୟୀମାନଙ୍କୁ ହଇରାଣ କରିବା ପାଇଁ ଆୟକର ବିଭାଗ ପକ୍ଷରୁ ଏହିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯାହାକୁ କି ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି।

ସୂଚନା ଯୋଗ୍ୟ ଆଜି ସକାଳେ ଆୟକର ବିଭାଗ ପକ୍ଷରୁ ପଞ୍ଝା ମାରିଥିଲା । ସନ୍ଧ୍ୟାରେ ଜିଏସ୍‌ଟି ବିଭାଗ ପକ୍ଷରୁ ରେଡ୍‌ ହୋଇଥିଲା । ଯାହା ପଦ୍ମପୁର ଉପନିର୍ବାଚନ ତାତିକୁ ଆହୁରି ଉଷ୍ଣ କରିଛି । ଜିଏସଟି ଫାଙ୍କିବା ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । ପଦ୍ମପୁରରେ ଏକ ପେଟ୍ରୋଲ ପମ୍ପ, ଲୁଗା ଦୋକାନ ଓ ପାଇକମାଳ, ଝାରବନ୍ଧରେ ବ୍ୟବସାୟିକ ଅନୁଷ୍ଠାନରେ ଚାଲିଛି ରେଡ୍‌ ।

ସେହିପରି ଆଜି ସକାଳେ ପଦ୍ମପୁରରେ ୩ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ପଞ୍ଝା ମାରିଥିଲା ଆୟକର ବିଭାଗ । ହନୁମାନ ପଡ଼ର ମହମ୍ମଦ ସାଜିଦଙ୍କ ୨ଟି ଘର, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀନଗରର ଗଜୁ ଅଗ୍ରଓ୍ଵାଲଙ୍କ ଘରେ ରେଡ୍‌ କରିଥିଲା ଆୟକର ବିଭାଗ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି-ବିଜେପି ଭିତରେ ରାଜନୈତିକ ତିକ୍ତତା ତୀବ୍ର ହୋଇଛି । ପ୍ରଚାର ଲଢ଼େଇ ଭିତରେ ରେଡ୍‌ ରାଜନୀତି ପଦ୍ମପୁର ରାଜନୈତିକ ପାଣିପାଗକୁ ଅଧିକ ଉଷୁମ କରିଛି ।

Leave A Reply

Your email address will not be published.