ବାଂଶପାଳ : ୧୨ ଘଣ୍ଟିଆ ତେଲକୋଇ ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡାକରା ଦଆଯାଇଛି । ଫଳରେ ଯାନବାହାନ ଚଳାଚଳ ଠପ୍ ହୋଇଯିବା ସହ ସ୍କୁଲ କଲେଜ ଓ ଦୋକାନ ବଜାର ବନ୍ଦ ରହିଛି । ଚକଦର ପ୍ରକଳ୍ପ ବନ୍ଦ ସମନ୍ବୟ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ତେଲକୋଇର ଚାରିଗଡ କଲେଜ ପଡ଼ିଆରୁ ଦିନ୧୧ଟା ବେଳେ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବିତ ସମାକୋଇ-ଚକଦର ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ ପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ।
ଦୀର୍ଘ ୪୬ ବର୍ଷ ଧରି ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା । ସମାକୋଇ ନଦୀର ତଳମୁଣ୍ଡ ଚକଦର ଠାରେ ଏହା ନିର୍ମାଣ ହେଲେ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହିତ ବହୁ ଲୋକ ବିସ୍ଥାପିତ ହେବା ସମ୍ଭାବନା ରହିଛି । ଏହାଦ୍ବାରା କେନ୍ଦୁଝର ଜିଲ୍ଲାର ଚାଷ ଜମିକୁ ସେଚ ସୁବିଧା ମିଳିବ ନାହିଁ,ପଡୋଶୀ ଅନୁଗୁଳ ଜିଲ୍ଲାର ପାଲଲହଡା ଓ କଣିହାଁ ଅଞ୍ଚଳ ଜଳସେଚିତ ହେବ,ତେଲକୋଇ ବ୍ଲକର ଅନେକ ଗାଁ ଜଳମଗ୍ନ ହେବା ସହିତ ତେଲକୋଇ ଏକ ଜଳଭଣ୍ଡାରରେ ପରିଣତ ହୋଇଯିବ ବହୁ ଲୋକ ବିସ୍ଥାପିତ ହୋଇ ବାସହରା ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।