ନୂଆ UGC ହାରରେ ଦରମା ପାଇବେ ଅଧ୍ୟାପକ, ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବରେ ମୋହର

ଭୁବନେଶ୍ବର : କଣ୍ଟିନ୍ଜେନ୍ସୀ ଫଣ୍ଡ ବା ଆକସ୍ମିକ ପାଣ୍ଠିର ଆକାରକୁ ବଢାଯାଇଛି । ଏହା ୪ଶହ କୋଟିରୁ ୧୬ଶହ କୋଟି ଟଙ୍କାକୁ ବଢାଯାଇଛି । ଏ ନେଇ ଓଡିଶା କଣ୍ଟିନ୍ଜେନ୍ସୀ ଫଣ୍ଡ ଆକ୍ଟରେ ସଂଶୋଧନ କରାଯାଇଛି। ଏହାକୁ ଅଧ୍ୟାଦେଶ ଜରିଆରେ ଲାଗୁ କରାଯିବ। ଯାହାକୁ ମିଳିଛି କ୍ୟାବିନେଟ୍ ମଂଜୁରୀ। ନିକଟରେ ଲାଗୁ ହୋଇଥିବା କାଳିଆ ଯୋଜନା ପାଇଁ ଏହି ଫଣ୍ଡରୁ ଅର୍ଥର୍ ଖର୍ଚ୍ଚ କରାଯିବ। କାଳିଆ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ପ୍ରାୟ ୧୦ ହଜାର କୋଟି ଟଙ୍କା । ଅର୍ଥାତ ମାସକୁ ପ୍ରାୟ ୮-୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ଆର୍ଥିକ ବର୍ଷ କରିବାକୁ ଆଉ ତିନି ମାସ ବାକି ରହିଛି। ତେଣୁ ଆପତକାଳୀନ ପାଣ୍ଠିରୁ କାଳିଆ ପାଇଁ ଖର୍ଚ୍ଚ କରାଯିବା ଅନୁମାନ କରାଯାଉଛି । ପୂର୍ବରୁ ୨୦୧୩ରେ ଆପାତକାଳୀନ ପାଣ୍ଠିକୁ ୪ଶହ କୋଟିରୁ ୧୯ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ସେତେବେଳେ ଫାଇଲିନ ପାଇଁ ଖର୍ଚ୍ଚ କରାଯାଇଥିଲା ।
ସେହିପରି ରାଜ୍ୟର ସମସ୍ତ ସରକାରୀ କଲେଜ, ଅନୁଦାନପ୍ରାପ୍ତ କଲେଜଗୁଡିକର ଅଧ୍ୟାପକମାନଙ୍କୁ ଏଣିକି ୟୁଜିସି ହାରରେ ଦରମା ମିଳିବ। ଏହାସହ ଓୟୁଏଟି, ବିପିୟୁଟି ଏବଂ ମେଡିକାଲ କଲେଜର ଅଧ୍ୟାପକଙ୍କୁ ମଧ୍ୟ ୟୁଜିସି ସ୍କେଲରେ ଦରମା ଦିଆଯିବ । ଏଥିପାଇଁ ବର୍ଷକୁ ଅଧିକ ୧୩୬ କୋଟି ଖର୍ଚ୍ଚ ହେବ। ପ୍ରାୟ ୫ହଜାର୨ଶହ ଅଧ୍ୟାପକ ଉପକୃତ ହେବେ। ଗଲା ଜାନୁଆରୀ ୨୦୧୬ରୁ ଏହାକୁ ପିଛିଲା ଭାବେ ଲାଗୁ କରାଯିବ। ସେହିପରି ରାଜ୍ୟର ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ନୂଆ ପଲିସି ତିଆରି କରିଛନ୍ତି। ଏହା ମାଧ୍ୟମରେ ରାଜ୍ୟର କ୍ଷୁଦ୍ରମାନେ ଗ୍ରୁପ ଗଠନ କରି ସରକାରୀ ସହାୟତା ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସେହିପରି ପିଡିଏସ କ୍ଷେତ୍ରରେ ଆଉ ବର୍ଷକ ପାଇଁ ଘରୋଇ ରିଟେଲର ବ୍ୟବସ୍ଥାକୁ ବୃଦ୍ଧି କରିଛନ୍ତି।