ସ୍କୁଲରେ ଅଘଟଣ: ମହୁଫେଣାରେ ହାତ ମାରିଲା ମାଙ୍କଡ ,୧୨ ଛାତ୍ରଛାତ୍ରୀ ଆହାତ,ଦୁଇ ଗୁରୁତର

ଆନନ୍ଦପୁର (କେନ୍ୟୁଜ): ମହୁଫେଣାରେ ହାତ ମାରିଲା ମାଙ୍କଡ, ଆକ୍ରୋଶର ଶିକାର ହେଲେ କୋମଳମତୀ ଶିଶୁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ ଅନ୍ତର୍ଗତ ଅଙ୍ଗାରୁଆ ନୋଡାଲ ଉପ୍ରା ବିଦ୍ଯାଳୟରେ । ସବୁ ଦିନ ପରି ଆଜି ବିଦ୍ଯାଳୟକୁ ଆସିଥିଲେ ଛାତ୍ରଛାତ୍ରୀ । ବିଦ୍ଯାଳୟ ପରିସରରେ ପାଠ ପଢା ଚାଲିଥିବା ବେଳେ ହଠାତ୍ ବିଦ୍ଯାଳୟ ପରିସରରେ ଥିବା ଏକ କଦମ୍ବ ଗଛରେ ଝୁଲି ରହିଥିବା ମହୁଫେଣା ଉପରକୁ ଏକ ହନୁ ମାଙ୍କଡ ଝାମ୍ପ ମାରିବା ସହ ନିମିଷକ ମଧ୍ଯରେ ସେଠାରୁ ଚମ୍ପଟ ମାରିଥିଲା।କିନ୍ତୁ ମହୁମାଛିଙ୍କ ଆକ୍ରୋଶର ଶିକାର ହୋଇଥିଲେ କୋମଳମତୀ ଶିଶୁ ।
କେହି କିଛି ବୁଝିବା ପୂର୍ବରୁ ବିଦ୍ଯାଳୟ ପରିସରରେ ଯାହାକୁ ପାରିଲେ ତାକୁ ଆକ୍ରମଣ କଲେ । ମହୁମାଛି ଆକ୍ରମଣରୁ ବର୍ତ୍ତିବାକୁ କିଛି ଛାତ୍ରଛାତ୍ରୀ ବିଦ୍ଯାଳୟ ଭିତରକୁ ଦୌଡି ପଳାଇଥିଲେ, ହେଲେ ମହୁମାଛିଙ୍କ ଆକ୍ରମଣରେ ୧୨ ଶିଶୁ ଆହାତ ହୋଇଥିଲେ । ଆହାତ ସମସ୍ତ ଶିଶୁଙ୍କୁ ସାଇଁକୁଳ ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଦଶ ଶିଶୁ ଘରକୁ ଫେରିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣାରେ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଧନୁର୍ଦ୍ଧର ସାହୁ ଗଭିର ଦୁଖଃ ପ୍ରକାଶ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଆଶୁ ଆରୋଗ୍ଯ କାମନା କରିଛନ୍ତି।