ପରିବାର ବୋଝ ତଳେ ବାଦଲ, ଘର ଲୋକଙ୍କ ପେଟକୁ ଦାନା ଦେବା ପାଇଁ ମୂଲ ଲାଗୁଛି ୧୨ ବର୍ଷର ପୁଅ
ଜଳେଶ୍ବର : ଚମ ଧୁଡୁଧୁଡୁ ଚର୍ମରେ ଆଖି ଓଦା ହେଇଯାଇଛି ଲୁହରେ । କାହିଁକିନା ବାପା ଦେଖିପାରୁନି ପୁଅର ଅବସ୍ଥା । ପୁଅ ପଙ୍ଗୁ ପାଲଟିଯାଇଛି । ଆଉ ପୁଅ ବଦଳରେ ଘର ଚଳାଇବାକୁ ବାହାରକୁ ଯାଉଛି ବାର ବର୍ଷର ନାତି । ଯାହାକୁ ଦେଖି ପାରୁନି କି ସହିପାରୁନି ଜେଜେ । ଛଳ ଛଳ ଆଖିରେ ବହି ଯାଉଛି ଲୁହ । ନିଜର ଦାରିଦ୍ର୍ୟ ଆଉ ଅସହାୟପଣ ଯୋଗୁଁ ଆଜି ଏତେ ଛୋଟ ପିଲାଟି ବାପା ମାଆ ଜେଜେ ପେଟରେ ଟିକେ ଆହାର ଦେବା ପାଇଁ କାମ କରୁଛି । ବୟସ ମାତ୍ର ୧୨ ବର୍ଷ , ଯେଉଁ ବୟସରେ ସାଙ୍ଗସାଥୀଙ୍କ ସହ ଗାଁ ଦାଣ୍ତରେ ଖେଳକୁଦ କରିବା କଥା , ସେହି ବୟସରେ ପରିବାର ଚଳାଇବା ପାଇଁ ସଂଗ୍ରାମ କରୁଛି ନାବାଳକ ପୁଅ । ପରିବାର ଲୋକଙ୍କ ଭୋକିଲା ପେଟକୁ ଦୁଇ ମୁଠା ଦାନା ଦେବା ପାଇଁ ନାବାଳକ ପୁଅ ସାଜିଛି ପରିବାରର ଆଶାବାଡି ।
ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଜୋଡି ଗାଁର ପଞ୍ଚାନନ ମାହାଲ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକାର ହୋଇ ଗୋଟିଏ ଗୋଡ ହରାଇବା ପରେ ଏବେ ପରିବାର ଉପରେ ଖେଳି ଯାଇଛି ଦୁଃଖର କଳା ବାଦଲ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ଯକ୍ତି ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇ ଯିବା ପରେ ପେଟକୁ ଦି ମୁଠା ଦାନା ଯୋଗାଡ କରିବା ପାଇଁ ଏମାନଙ୍କୁ କରିବାକୁ ପଡୁଛି ସଙ୍ଘର୍ଷ । ସେଥିପାଇଁ କଅଂଳ ବୟସରେ ମୁଣ୍ତ ଉପରେ ପଡିଛି ପରିବାରର ବୋଝ । ଗିଲାଜୋଡି ଗାଁର ପଞ୍ଚାନନ ମାହାଲ ଅତ୍ଯନ୍ତ ଗରୀବ ପରିବାର ହୋଇଥିବା ବେଳେ ନିଜର ଜମିବାଡି କିଛି ନାହିଁ । ବ୍ଯାଣ୍ତ ପାର୍ଟିରେ ବାଜା ବଜାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ପରିବାର କହିଲେ ସ୍ତ୍ରୀ, ଜଣେ ପୁଅ ଏବଂ ଜଣେ ଝିଅ । ଯାହା କିଛି ରୋଜଗାର ହେଉଥିଲା ସେଥିରେ ଚାରି ପ୍ରାଣୀ କଷ୍ଟେମଷ୍ଟେ ଚଳି ଯାଉଥିଲେ । ମାତ୍ର ଦଇବ ସହିଲା ନାଂହି , ଗତ ବର୍ଷ ଏକ ବାହାଘରରେ ବ୍ଯାଣ୍ତ ପାର୍ଟିରେ ଯାଇ ରାତିରେ ଘର କୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକାର ହେବା ପରେ ପରିବାର ଲୋକେ ତାଙ୍କୁ କଟକ ହସପିଟାଲରେ ଭର୍ତ୍ତି କରାଇ ଥିଲେ । ମାତ୍ର ସେଠାରେ ଅବସ୍ଥାରେ ସୁଧାର ଆସିଲାନି ।
ଡାକ୍ତର କ୍ୟାନ୍ସର ହୋଇଯିବା ଆଶଙ୍କା କଲେ, ପରିବାରକୁ ଜଣାଇଲେ । କ୍ୟାନ୍ସର ଭୟରେ ହସପିଟାଲରେ ତାଙ୍କର ଗୋଟିଏ ଗୋଡ କାଟିବାକୁ ପଡିଲା । ସେବେଠୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ପାଲଟି ଯାଇ ଘରେ ଗୋଟିଏ ଜାଗାରେ ବସି ରହୁଛନ୍ତି, ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଏପରି ଅବସ୍ଥା ହେବା ପରେ ଭୋକ ଉପାସରେ ଦିନ କାଟିବାକୁ ପଡିଲା । ତେଣୁ ପରିବାର ମୁହଁରେ ମୁଠାଏ ଦାନା ଦେବା ପାଇଁ ପଞ୍ଚାନନଙ୍କ ୧୨ ବର୍ଷର ନାବାଳକ ପୁଅ ବାଦଲର ପାଠ ପଢ଼ାରେ ଡୋରୀ ବନ୍ଧା ହେଲା । ଲୋକଙ୍କ ଘରକୁ ମୂଲ ମଜୁରୀ ଲାଗିବାକୁ ଗଲା । ସେଥିରୁ ଯାହା ଦି ପଇସା ଆଣୁଛି ସେଥିରେ ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡୁଛି । ଯେଉଁ ଦିନ ମଜୁରୀ ମିଳିଲା ପେଟକୁ ଦାନା ଯାଉଛି ନହେଲେ ଖାଡା ଉପାସ । ଯେଉଁଠି ଦୁଇ ମୁଠା ଖାଇବା ପାଇଁ ଦିନରାତି ସଙ୍ଘର୍ଷ କରିବାକୁ ପଡୁଛି ସେଠି ଭବିଷ୍ୟତ କଥା ପଚାରେ ବା କିଏ, ଏବେ ବଞ୍ଚିଲେ ସିନା ଭବିଷ୍ଯତ କଥା ଚିନ୍ତା କରିବ ।
ବାଦଲ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ସମୟରେ ବାପାଙ୍କର ଏପରି ଅବସ୍ଥା ଦେଖି ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ଯ ପରିବାର ମୁହଁରେ ଦାନା ଦେବା ପାଇଁ ବହି ବସ୍ତାନୀରେ ଡୋରୀ ବାନ୍ଧି ବାକୁ ପଡିଲା । ପାଠ ପଢିଲେ ପେଟକୁ ଦାନା ଆସିବ କେଉଁଠୁ । ଏୟା ଭାବି ପ୍ରତିଦିନ ସକାଳୁ ଉଠି କୋଡି କୋଦାଳ ନେଇ କାମକୁ ବାହାରି ଯାଉଥିବାବେଳେ ସାବାଳକ ହୋଇ ନଥିବାରୁ ଅଧିକାଂଶ ଦିନ କାମ ମିଳୁନି । ପଞ୍ଚାନନଙ୍କ ଭିନ୍ନକ୍ଷମ ଭତ୍ତା ଏବଂ ଯାହା କିଛି ଚାଉଳ ମିଳୁଛି ସେଥିରେ ମାସକୁ ୧୦/୧୫ ଦିନ କଷ୍ଟେମଷ୍ଟେ ଚଳି ଯାଉଥିବା ବେଳେ ବାକି ୧୫ ଦିନ ପେଟକୁ ଦାନ ଯୋଗାଡ ପାଇଁ ସଙ୍ଘର୍ଷ କରିବାକୁ ପଡୁଛି । ତେଣୁ ପଞ୍ଚାନନଙ୍କ ପାଇଁ ବ୍ଯାଟେରୀ ଚାଳିତ ଗାଡି, ଅନ୍ତଦୋୟ ଯୋଜନାରେ ୩୫ କେଜି ଚାଉଳ ଏବଂ ଆର୍ଥକ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ ।
କଅଁଳ ବୟସରେ ବାର ବର୍ଷର ନାବାଳକ ପୁଅ ବାଦଲ ପରିବାର ଚଳାଇବା ପାଇଁ ସଙ୍ଘର୍ଷ କରୁଥିବା ବେଳେ ଯଦି ସରକାରୀ ସ୍ତରରେ ଏହି ଅସହାୟ ପରିବାରକୁ ସହାୟତା ମିଳି ପାରନ୍ତା ତାହାଲେ ଦୁର୍ଦ୍ଦିନରେ ଗତି କରୁଥିବା ଏହି ପରିବାର ମୁହଁରେ ହସ ଫୁଟି ପାରନ୍ତା । ଯଦି ଆପଣମାନେ ଏହି ଅସହାୟ ପରିବାରକୁ ସାହାଯ୍ଯ କରିବାକୁ ଚାହୁଁଛନ୍ତି ତାହାଲେ ପଞ୍ଚାନନଙ୍କ ବ୍ଯାଙ୍କ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇ ପାରିବେ ।
ACCOUNT DETAILS
NAME – PANCHANAN MAHAL
BANK – STATE BANK OF INDIA
AC/ NUMBER – 30604131934
IFSC CODE – SBIN0009821
MOBILE – 7205211807