ବାଲେଶ୍ୱର: ୧୨ ବର୍ଷର ଝିଅ ସୋନି ଧରିଲେ ମୋବାଇଲ ଚୋର
ବାଲେଶ୍ୱର: ସାହାସ ଦେଖାଇଲେ ଆଦିବାସୀ ନାବାଳିକା । ମୋବାଇଲ ଚୋରକୁ ଧରାଇଦେଲେ ୧୨ ବର୍ଷର ଝିଅ ସୋନି ସିଂ । ବାଲେଶ୍ୱର ଜିଲ୍ଲା ମାର୍କୋଣା ଷ୍ଟେସନରେ ଛିଡ଼ା ହୋଇଥିଲା ଧଉଳି ଏକ୍ସପ୍ରେସ୍ । ଟ୍ରେନ୍ରେ ଜଣେ ଚୋର ଯାତ୍ରୀଙ୍କଠାରୁ ମୋବାଇଲ୍ ଛଡାଇ ନେଇ ଷ୍ଟେସନ ପାଖରେ ଥିବା ନୟନଯୋଡ଼ିରେ ପଶିଯାଇଥିଲା । ଚୋରି ହୋଇଥିବା ମୋବାଇଲ୍ ମାଲିକ ଚୋର ଚୋର କହି ଯୁବକଙ୍କ ପଛରେ ଦୌଡ଼ିଥିଲେ । ଷ୍ଟେସନ ରାସ୍ତାରେ ବସିଥିବା ବୁଦ୍ଧିଆ ସିଂଙ୍କ ଝିଅ ସୋନି ଯୁବକଙ୍କ ପଛରେ ଦୋଡ଼ିଥିଲା । ଯୁବକଙ୍କ ବେଲ୍ଟ ଧରି ଓହଳି ପଡ଼ିଥିଲା । ଫଳରେ ଯୁବକ ଜଣଙ୍କ ଆଉ ଦୌଡ଼ି ପାରୁନଥିଲା । ପଛରେ ଆସୁଥିବା ମୋବାଇଲ ଫୋନ୍ର ମାଲିକ ଓ କିଛି ସ୍ଥାନୀୟ ଲୋକେ ଯୁବକକୁ କାବୁ କରିଥିଲେ । ଖବର ପାଇ ସିମୁଳିଆ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ନାବାଳିକା ସୋନିର ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।