ଦିବ୍ୟାଙ୍ଗ ମୁକ୍ତ ଭାରତ ଅଭିଯାନ: ୧୨୨ ଜଣକୁ ମିଳିଲା କୃତ୍ରିମ ଅଙ୍ଗ

ବାଲେଶ୍ୱର: ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଏମିତି ରହି ବୋଧେ କରିବାକୁ ପଡିବ ସଂଘର୍ଷ । ତେବେ ମନରେ ଅସୁମାରୀ ସ୍ୱପ୍ନ । କିଛି କରି ଦେଖାଇବାର ସାହସ ମଧ୍ୟ କମ୍‌ ନୁହେଁ । କିନ୍ତୁ ସେହି ସ୍ୱପ୍ନରେ ବାଧକ ସାଜିଛି ଶାରୀରିକ ଅକ୍ଷମତା ।  ଜୀବନ ଯୁଦ୍ଧରେ ଜିତିବା ପାଇଁ କିଏ ଛୋଟ ବେଳୁ ସଂଗ୍ରାମ କରିଚାଲିଛି ତ କିଏ ଦୁର୍ଘଟଣାର ଶୀକାର ହେବାପରେ । ଆମେ କହୁଛୁ ଏଠାରେ ଥିବା ଦିବ୍ୟାଙ୍ଗ ମାନଙ୍କ ବିଷୟରେ ।

ଦିବ୍ୟାଙ୍ଗ ମୁକ୍ତ ଭାରତ ଅଭିଯାନ। ଯେମିତି କୌଣସି ଦିବ୍ୟାଙ୍ଗ ନିଜକୁ ଦିବ୍ୟାଙ୍ଗ ଭଳି ମନେକରିବ ନାହିଁ । ନିଜେ ନିଜର ଅକ୍ଷମତାକୁ ଦୁର କରିବ । ସେନେଇ ଆରମ୍ଭ କରାଯାଇଛି ଦିବ୍ୟାଙ୍ଗ ମୁକ୍ତ ଭାରତ ଅଭିଯାନ । ଏହି ଅଭିଯାନର ଏକ ୪ ଦିନିଆ କାର୍ଯ୍ୟକ୍ରମ ଗତକାଲି ବାଲେଶ୍ୱରରେ ଇମାମି ପେପର ମିଲସ୍ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇମାମି ପେପର ମିଲ ଲିମିଟେଡ ଆନୁକୁଲ୍ୟରେ ଓ ପରମାର୍ଥ ନିକେତନ, ଋଷିକେଶ ଓ ମହାବୀର ସେବା ସଦନ, କଲିକତାର ଦିବ୍ୟାଙ୍ଗତାର ସହଯୋଗରେ ଦିବ୍ୟାଙ୍ଗ ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଥିଲା ।

ଏଥିରେ ୧୨୨ଜଣ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ କୃତିମ ଅଙ୍ଗ ପ୍ରଦାନ କରାଯାଇଥିଲା । ଦୁର୍ଘଟଣାରେ ନିଜ ଅଙ୍ଗ ହରାଇଥିବା ଓ ଜନ୍ମରୁ ନିଜ ଅଙ୍ଗକୁ ହରେଇ ଥିବା ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନଙ୍କୁ ଚିହ୍ନଟ କରାଯାଇ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ଖୁବ୍ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା ।

କୃତ୍ରିମ ଅଙ୍ଗ ପାଇ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ନିଜକୁ ସକ୍ଷମ ମନେକରିବା ସହ ଏକ ନୂଆ ଜୀବନ ପାଇଲା ଭଳି ଅନୁଭବ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇଥିବା ବେଳେ ଇମାମି ଗ୍ରୁପର ଅଧକ୍ଷ ଆର୍ ଏସ ଗୋଏଙ୍କା ଓ ମହାବୀର ସେବା ସଦନ ପୃଷ୍ଠପୋଷକ ଭିକେ ଭଗ୍ରୋଡ଼ିଆ ଯୋଗ ଦେଇଥିଲେ ।

ଦିବ୍ୟାଙ୍ଗ ହୋଇ ବି ପରିବାର ପ୍ରତିପୋଷଣ ପାଇଁ ଏମାନେ ଦିନ ରାତି ସଂଘର୍ଷ କରୁଛନ୍ତି । ତେଣୁ କୃତିମ ଅଙ୍ଗ ପାଇ ଏମାନଙ୍କ ସାହସ ମନୋବଳ ନିହାତୀ ଭାବେ ଦ୍ୱିଗୁଣିତ ହେବ ଏଥିରେ ଦ୍ୱନ୍ଦ ନାହିଁ । ତେବେ ଦିବ୍ୟାଙ୍ଗ ମୁକ୍ତ ଭାରତ ଯୋଜନାରେ ଇମାମି ପେପର ମିଲସ୍ ପକ୍ଷରୁ କୃତ୍ରିମ ଅଙ୍ଗ ବଣ୍ଟନ ଭଳି ଉଦ୍ୟମକୁ ସବୁ ଆଡୁ ପ୍ରଶଂସା କରାଯାଇଛି ।