୧୪ ବର୍ଷର ନାବାଳକକୁ ପଥର ଛେଚି ନିର୍ମମ ଭାବେ କରାଯାଇଛି ହତ୍ୟା

ବରଗଡ଼: ପୁଅ ଘରେ ଥିଲା ତାକୁ ଘରୁ ଡାକି ନେଇଥିଲା ତା’ ସାଙ୍ଗ । ଆମେ ଭାବିଲୁ ଖେଳିବାକୁ ଯାଇଛି ଘରକୁ ପଳାଇ ଆସିବ ହେଲେ ଆଉ ଘରକୁ ଆସି ନଥିଲା ପୁଅ । ବହୁ ଖୋଜା ଖୋଜି ପରେ କୋଉଠି ବି ତାକୁ ପାଇନଥିଲୁ । ଏବେ ଦେଖିଲାରୁ ତା ଦେହରେ ଆଉ ଜୀବନ ନାହିଁ । ଏଭଳି କଥା କହି ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି ୧୪ ବର୍ଷର ନାବାଳକଙ୍କ ବଡ଼ବାପା । ଯାହାଙ୍କ ପୁତୁରାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।
ଭଟଲି ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ିଆ ଗାଁର ୧୪ ବର୍ଷର ନାବାଳକକୁ କରାଯାଇଛି ହତ୍ୟା । ନାବାଳକକୁ ପଥର ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ହାତରେ ପୋଡ଼ା ଚି଼ହ୍ନ ଦେଖିବାକୁ ମିଳିଛି l ନବମ ଶ୍ରେଣୀରେ ପାଠ ପଡୁଥିବା କେନ୍ଦୁଗୁଡ଼ିଆ ଗାଁର ନାବାଳକ ସମୀର ପ୍ରଧାନ । ଗତକାଲି ସକାଳୁ ସାଇକେଲ ଧରି ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ l ମଧ୍ୟାହ୍ନ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ହେଲେ ପାଇ ନଥିଲେ । ସମୀରଙ୍କୁ ନପାଇବାରୁ ଶେଷରେ ଭଟଲି ଥାନାରେ ପୁଅ ନିଖୋଜ ହୋଇଥିବା ନେଇ ବାପା ଦିବ୍ୟାଲୋଚନ ପ୍ରଧାନ ଏତଲା ଦେଇଥିଲେ l
ତେବେ ଆଜି ସକାଳେ କେନ୍ଦୁଗୁଡ଼ିଆ ଗାଁରୁ ୫ କିଲୋମିଟର ଦୂର ପଣ୍ଡ୍ରିତରେଇ ଜଙ୍ଗଲରେ ମହୁଲ ତୋଳିବାକୁ ଯାଇଥିବା କିଛି ଲୋକେ ସମୀରଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ l ମୃତଦେହ ନିକଟରେ ସାଇକେଲ ଓ ଚପଲ ପଡ଼ି ରହିଥିବା ବେଳେ ଗୋଟିଏ ରକ୍ତ ଭିଜା ପଥର ମଧ୍ୟ ପଡ଼ିଥିଲା । ଏହି ଖବର ପ୍ରଚାରିତ ହେଵା ପରେ ମୃତ ସମୀରର ପରିବାର ଲୋକେ ଏବଂ କେନ୍ଦୁଗୁଡ଼ିଆ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ l ସକାଳ ୮ ଟାରୁ ପୋଲିସକୁ ଖବର ଦେବା ପରେ ମଧ୍ୟ ପୋଲିସ ଘଟଣା ସ୍ଥଳକୁ ବିଳମ୍ବରେ ପହଞ୍ଚିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା l
ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସମୀର ଘରୁ ଆଣିଥିବା ମୋବାଇଲଟି ଗାୟବ ଅଛି l ତେବେ ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଭାବେ ଜଣା ପଡୁଥିବା ବେଳେ କିଏ ଓ କାହିଁକି ଏପରି ଜଣେ ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କରିଛି ପୋଲିସ ତାର ଅଧିକ ତଦନ୍ତ ଜାରିରଖିଛି l ହେଲେ ଏହି ଘଟଣାକୁ ନେଇ ପୋଲିସ ବିଭାଗର କୈାଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Also Read:ଅନଲାଇନ୍ ଗେମ ଖେଳି ଟଙ୍କା ହାରିଲେ, ଅକାଳରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ