କାରରେ ଜବରଦସ୍ତି ଟେକି ନେଉଥିଲେ, ହେଲେ ମୁଥ ମାରି ନିଜକୁ ରକ୍ଷା କଲା ପୁଅ
ବାଲିଗୁଡା : ବୋଉ ଲୋ ତୋ କୋଳରେ ମୋତେ ଟିକେ ଶୁଆଇ ଦେ । ତୋ କାନିରେ ମୋତେ ଲୁଚାଇ ଦେ । ଯେମିତି ସେମାନଙ୍କ ଭଳି କେହି ମୋତେ ନେଇ ପାରିବେନି । ସେମାନେ ମୋ ଛାତିକୁ ମାରି ମୋ ମୁହଁକୁ ଚାପି ନେଇଯାଉଥିଲେ ଲୋ ବୋଉ । କାଲି ବୋଧହୁଏ ତୋ ପୁଅ ତୋ ସାଥିରେ ନଥାନ୍ତା । କିନ୍ତୁ ବୋଉ ଭଗବାନଙ୍କ ଦୟାରୁ ତୋ ପୁଅ ଏତେ ବଡ ବିପଦରୁ ଟଳି ଯାଇଛି ।
ହଁ ଆଜ୍ଞା । ତାକୁ ବୟସ ମାତ୍ର ୧୩ ବର୍ଷ । ଅଷ୍ଟମ ଶ୍ରେଣୀରେ ପଢ଼ୁଛି । ହେଲେ ତାସହିତ ଘଟିଛି ପୂରା ଫିଲ୍ମ ଷ୍ଟାଇଲରେ ଘଟଣା । ଏକଦମ୍ ସିନେମାରେ ଦେଖିଲା ଭଳି ଦୃଶ୍ୟ ଘଟିଛି ଏହି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବାଳକ ସହିତ । ଠିକଣା ପଚାରିବା ଆଳରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ । କିନ୍ତୁ ଅପହରଣ ଉଦ୍ୟମ ବେଳେ ଅପହରଣ କାରୀଙ୍କୁ ଚକମା ଦେଇ ନିଜ ଜୀବନ ନିଜେ ବଞ୍ଚେଇଲେ ଜଣେ ୧୩ ବର୍ଷର ଛାତ୍ର । ତେବେ ଅପହରଣକାରୀଙ୍କ ଠାରୁ ଖସି ଆସିଥିବା ସମୟର ଘଟଣା ପ୍ରକାଶ କରିବା ପରେ ୧୩ ବର୍ଷର ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସାହାସିକତା ଏବେ ବାଲିଗୁଡା ସହରରେ ପ୍ରଶଂସା ସାଉଁଟିଛି । ବାଲିଗୁଡା ସହରର ଦଣ୍ଡପଦର ଅଂଚଳର ଗିରିଧାରୀ ନାୟକଙ୍କ ପୁଅ ପଦ୍ମ ଲୋଚନ ନାୟକ ଗତକାଲି ଟ୍ୟୁସନ ଆସିଥିବା ସମୟରେ ଏପରି ଘଟଣା ଘଟିଥିଲା ।
ବାଲିଗୁଡା ମିନି ଷ୍ଟାଡିଅମ ନିକଟକୁ ପଦ୍ମ ଲୋଚନ ଟ୍ୟୁସନ ଆସିଥିବା ବେଳେ ଏକ କାରରେ ପାଞ୍ଚ ଜଣ ଦୁର୍ବୃତ୍ତ ତାକୁ ନୁଆସାହିର ଠିକଣା କେଉଁ ଆଡେ ବୋଲି ପଚାରିଥିଲେ । ତେବେ ଛାତ୍ର ଜଣକ ଦୁର୍ବୃତ୍ତଙ୍କୁ ଠିକଣା କହିବା ପରେ ପଳାଇ ଯାଥିଲେ । ହେଲେ ପୁଣି ଥରେ ତାକୁ ପାଖକୁ ଡାକିଲେ ଏବଂ ଜୋର ଜବରଦସ୍ତ ମୁହଁକୁ ଚାପି ଧରିଲେ ଛାତିକୁ ଶକ୍ତ ଆଘାତ ଦେଇ କାରରେ ଅପହରଣ କରି ନେଉଥିଲେ ।
ହେଲେ ବାଲିଗୁଡାରୁ ତୁମୁଡିବନ୍ଧ ରାସ୍ତାରେ କାର ଯାଉଥିବା ସମୟରେ ଛାତ୍ର ଜଣକ ବାଲିଗୁଡା ସଭା ଗୃହ ନିକଟରେ କାର ଭିତରେ ପରିସ୍ରା କରି ଦେଇଥିଲେ । ଛାତ୍ର ଜଣକ ନିଜକୁ ପରିସ୍ରା ଲାଗୁଥିବା କହିବାରୁ ଦୁର୍ବୃତ୍ତ ମାନେ ରାସ୍ତା କଡ଼ରେ କାରଟି ରଖିଥିଲେ । ଛାତ୍ରଙ୍କୁ ପରିସ୍ରା ପାଇଁ କାରରୁ ଓହ୍ଲାଇବା ସମୟରେ ହାତରେ ପିନ୍ଧିଥିବା ନିଜ ଲୁହା ବଳାରେ ପଦ୍ମ ଲୋଚନ ଜଣେ ଦୁର୍ବୃତ୍ତଙ୍କ ମୁଣ୍ଡକୁ ମାରିଥିଲେ । ଏବଂ ସେଠାରୁ କାଳ ବିଳମ୍ବ ନକରି ଖସି ପଳାଇ ଆସିଲା । ଦୁର୍ବୃତ୍ତଙ୍କ ଠାରୁ ଦୌଡ଼ି ଆସି ନିଜ ଘରକୁ ଫେରିବା ପରେ ବେହୋସ ହୋଇ ପଡିଗଲା ପଦ୍ମଲୋଚନ ।
ପରେ ସମସ୍ତ ଘଟଣା ପରିବାର ଲୋକଙ୍କୁ କହିବା ପରେ ଛାତ୍ର ପଦ୍ମ ଲୋଚନଙ୍କ ପିତା ଗିରିଧାରୀ ନାୟକ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ ସାହୁ ମାମଲା ରୁଜୁ କରିବା ସହ କିଏ ଓ କାହିଁକି ଛାତ୍ର ଜଣକୁ ଅପହରଣ କରୁଥିଲା ସେ ନେଇ ତଦନ୍ତ ଚଳାଇଛନ୍ତି । ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଅପହରଣ ଘଟଣା ଏବେ ବାଲିଗୁଡା ସହରରେ ଆଲୋଡନ ସୃଷ୍ଟି କରିଥିବା ବେଳେ ତାଙ୍କ ସାହାସିକତାକୁ ମଧ୍ୟ ବିଭିନ୍ନ ମହଲରେ ଭରପୁର ପ୍ରଂଶସା କରାଯାଇଛି ।