ଚନ୍ଦନପୁର ନିକଟ ଓଭରବ୍ରିଜ୍ ଉପରେ ସିରିଜ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୫ ରୁ ଉର୍ଦ୍ଧ୍ବ ଆହତ

ପୁରୀ : ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ସିରିଜ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 15 ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ଆହତଙ୍କୁ ପୁରୀ ଓ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କିଛି ସମୟ ପୂର୍ବରୁ ଏକ ବାଲି ବୋଝେଇ ଟିପର୍ ର ଚକା ଫାଟିଯିବାରୁ ତାହା ମରାମତି ପାଇଁ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ବେଳେ 35ରୁ ଅଧିକ ଯାତ୍ରୀଙ୍କୁ ନେଇ ଆସୁଥିବା ମୋ ବସ୍ ପଛପଟୁ ପ୍ରଥମେ ଟିପର୍ କୁ ଧକ୍କା ଦେଇଥିଲା ।
ତା ପଛରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ୱଇଙ୍ଗର୍ ଗାଡି ମୋ ବସ୍ କୁ ଧକ୍କା ଦେଇଥିଲା । ଫଳରେ ମୋ ବସ୍ ରେ ଥିବା 15ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସହ ୱଇଙ୍ଗର୍ ରେ ଥିବା ଗୋରଖପୁର ଓ ଟାଟା ଅଞ୍ଚଳର 6 ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ଖବର ପାଇ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଏହି ସିରିଜ୍ ଦୁର୍ଘଟଣା ଯୋଗୁଁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଓ ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।