ଓସିଏସ୍ ପାଇଲେ କିସ୍ର ୧୫ ଛାତ୍ରଛାତ୍ରୀ , ଶୁଭେଚ୍ଛା ଜଣାଇଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସେବା ପରୀକ୍ଷା (ଓସିଏସ୍)ରେ କିସ୍ର ୧୨ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କୌଣସି ଗୋଟିଏ ଜନଜାତି ଶିକ୍ଷାନୁଷ୍ଠାନର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓସିଏସ୍ ପାଇବା ଓଡ଼ିଶାରେ ରେକର୍ଡ ବୋଲି କୁହାଯାଉଛି । କିସ୍ର ଛାତ୍ର କଳାହାଣ୍ଡି ଜିଲ୍ଲାର ନନ୍ଦ କିଶୋର ପାତ୍ର ଓ ନୀଳମାଧବ ପାତ୍ର, ମୟୂରଭଞ୍ଜ ଜିଲ୍ଲା ସଞ୍ଜୀବ ହାଁସଦା, ରାମେଶ୍ୱର ହେମ୍ବ୍ରମ୍, ଲମ୍ବୋଦର ହେମ୍ବ୍ରମ୍, ଟିକିଲିମଣୀ ସୋରେନ୍, ସମ୍ବଲପୁର ଜିଲ୍ଲାର ରାଜେଶ କିଷାନ, ସୁମନ୍ କୁଜୁର, ବଲାଙ୍ଗୀର ଜିଲ୍ଲାର ଜଗଜ୍ଜୀବନ ମାଝୀ, କନ୍ଧମାଳର ରୁନିତା ପ୍ରଧାନ, ମାଲକାନଗିରି ଜିଲ୍ଲାର ଶ୍ୟାମ ମାଦି ଓ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ୱନାଥ ରଞ୍ଜନ କିଷାନ ଆଦି ଏହି ସଫଳତା ହାସଲ କରିଛନ୍ତି ।
କିସ୍ର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ କିସ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ପ୍ରତିବର୍ଷ କିସ୍ ଛାତ୍ରଛାତ୍ରୀମାନେ ଏହି ସଫଳତା ପାଇ ଆସୁଥିଲେ ମଧ୍ୟ ଚଳିତବର୍ଷ ପ୍ରାୟ ୧୫ ଛାତ୍ରଛାତ୍ରୀ ଓସିଏସରେ କୃତକାର୍ଯ୍ୟ ହୋଇଛନ୍ତି । ଏହା ଛଡ଼ା ପ୍ରତିବର୍ଷ କିସ୍ର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଆସୁଛନ୍ତି ।
ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଲେ, କିସରେ ଛାତ୍ରଛାତ୍ରୀଙ୍କର ସର୍ବୋତ୍କୃଷ୍ଟ ଯତ୍ନ ନିଆଯାଇଥାଏ । କିସ୍ ଶିକ୍ଷା ସହ କ୍ରୀଡ଼ା ଓ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯାଇଥାଏ । ଜାତୀୟ ଓ ଆଞ୍ଚଳିକସ୍ତରର ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ଏଠାରେ ସ୍ୱତନ୍ତ୍ର ଭାବେ କୋଚିଂ ଦିଆଯିବାର ବ୍ୟବସ୍ଥା ରହିଛି । ଏହି ଅବସରରେ ଶ୍ରୀ ସାମନ୍ତ କିସ୍ର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ମଧ୍ୟ ସେମାନଙ୍କ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଛନ୍ତି ।